କେଜ୍ରିୱାଲ୍ ଓ ୫ ଆପ୍ ନେତାଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା ରୁଜୁ କଲେ ଜେଟଲୀ

ନୂଆଦିଲ୍ଲୀ: ଡିଡିସିଏ ପ୍ରସଙ୍ଗକୁ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଓ ଆପର ଆଉ ୫ ଜଣ ନେତାଙ୍କ ନାଁରେ ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଛନ୍ତି। ଜେଟଲୀ ଏଥିରେ ଦର୍ଶାଇଛନ୍ତି ଯେ ତାଙ୍କ ସଂପର୍କରେ ଓ ତାଙ୍କ ପରିବାର ସଂପର୍କରେ କେଜ୍ରିୱାଲ୍ ଓ ଅନ୍ୟ ୫ ନେତା ମିଛ ତଥ୍ୟ ଦେଇଛନ୍ତି ଏବଂ ଏହା ଦ୍ୱାରା ସେମାନଙ୍କ ମାନହାନି କରିଛନ୍ତି।

କେଜ୍ରିୱାଲଙ୍କ ବ୍ୟତୀତ ଆପ୍ ନେତା କୁମାର ବିଶ୍ୱାସ, ଆଶୁତୋଷ, ସଂଜୟ ସିଂହ, ରାଘବ ଚଢ଼ା ଓ ଦୀପକ ବାଜପେୟୀଙ୍କ ନାଁରେ ମାନହାନି ମକଦ୍ଦମା କରିଛନ୍ତି ଜେଟଲୀ।

ତେବେ ଡିଡିସିଏରେ ଦୁର୍ନୀତି ହୋଇଥିବା ନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିବା ବିଜେପି ସାଂସଦ କୀର୍ତ୍ତି ଆଜାଦଙ୍କ ବିରୋଧରେ ଜେଟଲୀ ମାନହାନି ମାମଲା ରୁଜୁ କରି ନାହାନ୍ତି।

ଦିଲ୍ଲୀ ଆଣ୍ଡ୍ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ)ରେ ବ୍ୟାପକ ଦୁର୍ନୀତି ହୋଇଥିବା ଓ ଜେଟଲୀ ଏବଂ ତାଙ୍କ ପରିବାର ଏଥିରେ ସାମିଲ ଥିବା କେଜ୍ରିୱାଲ୍ ଓ ଅନ୍ୟ ଆପ୍ ନେତାମାନେ ଅଭିଯୋଗ କରି ଆସୁଛନ୍ତି। ତେବେ ୨୦୧୩ ପର୍ଯ୍ୟନ୍ତ ଡିଡିସିଏର ସଭାପତି ରହିଥିବା ଜେଟଲୀ ଏହି ଅଭିଯୋଗଗୁଡ଼ିକୁ ଖଣ୍ଡନ କରି ଆସୁଛନ୍ତି।

ଅନ୍ୟପକ୍ଷରେ ଆଜି ଏହି ପ୍ରସଙ୍ଗରେ ଲୋକସଭା ମଧ୍ୟ ୨୦ ମିନିଟ୍ ଧରି ଅଚଳ ହୋଇଥିଲା। କଂଗ୍ରେସ ସାଂସଦମାନେ ଜେଟଲୀଙ୍କ ଇସ୍ତଫା ଦାବି କରିଥିଲେ। ରାଜ୍ୟସଭାରେ ମଧ୍ୟ କଂଗ୍ରେସ ସାଂସଦମାନେ ଜେଟଲୀଙ୍କ ଇସ୍ତଫା ଦାବି କରି ନାରାବାଜି କରିଥିଲେ। ଅନ୍ୟପକ୍ଷରେ ସରକାର ସ୍ପଷ୍ଟ କରି ଦେଇଛନ୍ତି ଯେ କେହି ଇସ୍ତଫା ଦେବେ ନାହିଁ। ବିଜେପି ସାଂସଦ ତଥା ମନ୍ତ୍ରୀ ମୁଖତାର ଆବାସ୍ ନକଭୀ କହିଛନ୍ତି ଯେ କେହି ଇସ୍ତଫା ଦେବେ ନାହିଁ।

ଲୋସଭାରେ କଂଗ୍ରେସ ସାଂସଦମାନେ ତାଙ୍କ ଇସ୍ତଫା ଦାବି କରିଥିବା ବେଳେ ଜେଟଲୀ କହିଥିଲେ ଯେ ତାଙ୍କ ବିରୁଦ୍ଧରେ ଆସିଥିବା ଦୁର୍ନୀତି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। ୪୨ ହଜାର ଲୋକ ବସି ପାରିବା ଭଳି ନିର୍ମିତ ଦିଲ୍ଲୀ ଷ୍ଟାଡିୟମରେ ଖର୍ଚ୍ଚ ହୋଇଛି ୧୧୪ କୋଟି ଟଙ୍କା। କିନ୍ତୁ ଯେତେବେଳେ କଂଗ୍ରେସ କ୍ଷମତାରେ ଥିଲା ଜବାହାରଲାଲ ନେହେରୁ ଷ୍ଟାଡିୟମର ପୁନରୁଦ୍ଧାର କାମ ପାଇଁ ଖର୍ଚ୍ଚ କରାଯାଇଥିଲା ୯୦୦ କୋଟି।