୬ ଦଶନ୍ଧି ପରେ ଦକ୍ଷିଣ କୋରିଆ ମାଟିରେ ପାଦ ଦେଲେ ଉତ୍ତର କୋରିଆ ଶାସକ

ନୂଆଦିଲ୍ଲୀ: ଉତ୍ତର କୋରିଆ ଶାସକ କିମ୍‌-ଜଙ୍ଗ-ଉନ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍-ଜେ-ଇନ୍‌ଙ୍କ ମଧ୍ୟରେ ଐତିହାସିକ ସାକ୍ଷାତ ହୋଇଛି। ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ କଥାବାର୍ତ୍ତା ପାଇଁ ଦକ୍ଷିଣ କୋରିଆରେ ଯାଇ ପହଞ୍ଚିଛନ୍ତି ଉତ୍ତରକୋରିଆର ଏକଛତ୍ରବାଦ ଶାସକ। କିମ୍‌-ଜଙ୍ଗ- ଉନ୍  ଚାଲି ଚାଲି ଆନ୍ତର୍ଜାତିକ ସୀମାରେଖା ଅତିକ୍ରମ କରି ଦକ୍ଷିଣ କୋରିଆରେ ପାଦ ଦେଇଥିଲେ। କିମ୍‌ ସୀମା ପ୍ରବେଶ କରିବା ପୂର୍ବରୁ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ-ଇନ ତାଙ୍କୁ ସ୍ୱାଗତ କରିଥିଲେ।

୧୯୫୩ର ବିଧ୍ୱଂସକ କୋରିଆ ଯୁଦ୍ଧର ୬ ଦଶନ୍ଧି ପରେ ଦକ୍ଷିଣ କୋରିଆ ମାଟିରେ ପାଦ ଦେଇଥିବା ପ୍ରଥମ ଉତ୍ତର କୋରିଆ ଶାସକ ହେଉଛନ୍ତି କିମ୍‌-ଜଙ୍ଗ-ଉନ୍। ଦୁଇ ଦେଶର ସୀମାକୁ ନେଇ ବର୍ଷ ବର୍ଷ ଧରି ଲାଗି ରହିଥିବା ଅଚଳାବସ୍ଥା ଦୂର କରିବାକୁ ଦୁଇ ରାଷ୍ଟ୍ରମୁଖ୍ୟ ମଧ୍ୟରେ ହେବ ଐତିହାସିକ ସମ୍ମିଳନୀ। ଦୁଇ ଦେଶର ଦ୍ୱିପାକ୍ଷିକ ଆଲୋଚନା ଉପରେ ସାରା ବିଶ୍ୱବାସୀଙ୍କ ନଜର ରହିଛି। ଉଭୟ ଦେଶ ମଧ୍ୟରେ ଆଣବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ହ୍ରାସ କରିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବା ସମ୍ଭାବନା ରହିଛି।