ଉତ୍ତର କୋରିଆ-ଚୀନ୍‌ର ଏହି ସନ୍ଧି ଆମେରିକା ପାଇଁ ଚିନ୍ତାର କାରଣ: ନହେଲେ ଏତେ ବେଳକୁ…

ବେଞ୍ଜିଂ: ୨୦୧୧ରେ କ୍ଷମତାକୁ ଆସିବା ପରେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ୍‌ ପ୍ରଥମ ଥର ପାଇଁ ଦେଶ ବାହାରକୁ ବାହାରି ଘନିଷ୍ଠ ବନ୍ଦୁ ଚୀନ୍‌କୁ ଯାଇଥିଲେ। ଏକ ସ୍ୱତନ୍ତ୍ର ଟ୍ରେନ୍‌ରେ ଚୀନ୍‌ ଯାଇ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ସାକ୍ଷତ କରିଛନ୍ତି ଏହି ଏକଛତ୍ରବାଦୀ ଶାସକ। ପରମାଣୁ ବୋମା ଓ ବାଲେଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ବିବାଦର ଅନ୍ତ ଘଟାବାକୁ ଆମେରିକା ସହ କଥାବାର୍ତ୍ତ କରିବାକୁ କିମ୍‌ ରାଜି ହେବା ପରେ ଦେଶ ବାହାରକୁ ଯାଇ ଜିନପିଙ୍ଗୁଙ୍କୁ ସାକ୍ଷାତ କରିବା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି। ବିଶେଷ କରି ଏହି ସାକ୍ଷାତକାର ଆମେରିକାର ମୁଣ୍ଡ ବିନ୍ଧା ବଢ଼ାଇ ଦେଇଛି। ଆମେରିକା ମଧ୍ୟ ଚିନ୍ତିତ ହେବାର କାରଣ ରହିଛି। କାରଣ ଉତ୍ତର କୋରିଆ ଓ ଚୀନ୍‌ ଭିତରେ ଏମିତି ଏକ ଚୁକ୍ତି ରହିଛି, ଯାହା ଯୁଦ୍ଧ ହେଲେ ଆମେରିକା ପାଇଁ କାଳ ହୋଇପାରେ।

କୁହାଯାଉଛି, ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବା ବେଳେ କ’ଣ ଆଲୋଚନା କରାଯିବ ଓ ଉତ୍ତର କୋରିଆର ପକ୍ଷ କ’ଣ ରହିବ ସେ ନେଇ କିମ୍‌, କିଙ୍ଗପିନ୍‌ଙ୍କ ସହ ଆଲୋଚନା କରିଛନ୍ତି ବୋଲି ଜଣାପଡ଼ିଛି।

କିମ୍‌ ଯେଉଁ ସ୍ୱତନ୍ତ୍ର ଟ୍ରେନ୍‌ରେ ଚୀନ୍‌ ଯାଇଥିଲେ, ତାହାର ମଧ୍ୟ ବିଶେଷ ଗୁରୁତ୍ୱ ରହିଛି। ଏହି ଟ୍ରେନ୍‌ରେ କିମ୍‌ଙ୍କ ବାପା କିମ୍‌ ଜୋଙ୍ଗ ଇଲ୍‌ ଗୁପ୍ତରେ ଚୀନ୍‌ ଯାଇଥିଲେ।

କିଙ୍ଗପିଙ୍ଗଙ୍କ ସହ ସାକ୍ଷାତ ପରେ କିମ୍‌ କହିଛନ୍ତି, “ଉତ୍ତର କୋରିଆ, ଆମେରିକା ସହ ଆଲୋଚନା କରିବାକୁ ଓ ଦୁଇ ଦେଶ ମଧ୍ୟରେ ଏକ ଶିଖର କରିବାକୁ ପ୍ରସ୍ତୁତ ଅଛି।”

ସାକ୍ଷାତ ଆଲୋଚନା ବେଳେ କିମ୍‌, କିଙ୍ଗପିଙ୍ଗଙ୍କୁ ଉତ୍ତର କୋରିଆ ଆସିବାକୁ ନିମନ୍ତ୍ରଣ କରିଥିଲେ। ଏହାକୁ କିଙ୍ଗପିଙ୍ଗ ମଧ୍ୟ ଆଦରର ସହ ଗ୍ରହଣ କରିଛନ୍ତି।

ଆମେରିକା ପାଇଁ ଚିନ୍ତାର କାରଣ ଉତ୍ତର କୋରିଆ-ଚୀନ୍‌ ସନ୍ଧି

ସୂଚନାଯୋଗ୍ୟ, ଚୀନ୍‌ ସହ ଉତ୍ତର କୋରିଆର ବନ୍ଧୁତ୍ୱ ୭୩ ବର୍ଷ ପୁରୁଣା। ଜାପନଠାରୁ ସ୍ୱାଧୀନତା ମିଳିବା ପୂର୍ବରୁ ଚୀନ୍‌, ଉତ୍ତର କୋରିଆର କମ୍ୟୁନିଷ୍ଟ ସଂଗଠନର ନେତା କିମ୍‌ ଇଲ୍‌ ସଙ୍ଗଙ୍କୁ ସହଯୋଗ କରୁଥିଲା। କିମ୍‌ ସଙ୍ଗ ହେଉଛନ୍ତି କିମ୍‌ ଜୋଙ୍ଗ ଉନ୍‌ଙ୍କ ଦାଦା।

କୋରିଆ ଦୁଇ ଭାଗ ହେବା ଓ ଉତ୍ତର କୋରିଆରେ କିମ୍‌ ସଙ୍ଗଙ୍କ ସରକାର ହେବାରେ ଚୀନ୍‌ର ବଡ଼ ହାତ ରହିଛି।

ଏହି ଦୁଇ ଦେଶ ମଧ୍ୟରେ ଏକ ସନ୍ଧି ରହିଛି। କୌଣସି ଦେଶ ଉତ୍ତର କୋରିଆ ହେଉ କି ଚୀନ୍‌ ହେଉ, ଯାହା ଉପରେ ଆକ୍ରମଣ କରିବ ଜଣେ ଅନ୍ୟ ଜଣଙ୍କ ପାଇଁ ଛିଡା ହେବ। ଗତବର୍ଷ ଦୁଇ ଦେଶ ଏହି ସନ୍ଧିର ଅବଧି ବଢ଼ାଇ ୨୦୨୧ ମସିହା ପର୍ଯ୍ୟନ୍ତ କରିଦେଇଛନ୍ତି।

ଆମେରିକା ରାଷ୍ଟ୍ରପତି ଉତ୍ତର କୋରିଆ ବିରୋଧରେ ବାରମ୍ବାର ଯୁଦ୍ଧର ଧମକ ଦେଉଥିଲେ ମଧ୍ୟ ଏହି ସନ୍ଧି ତାଙ୍କୁ ପଛକୁ ଟାଣୁଥିବା ରାଜନୈତିକ ବିଶେଷଜ୍ଞମାନେ ମତ ଦିଅନ୍ତି। କାରଣ ଉତ୍ତର କୋରିଆକୁ ଆମେରିକା ଆକ୍ରମଣ କଲେ ସଙ୍ଗେ ସଙ୍ଗେ ଚୀନ୍‌ ଉତ୍ତର କୋରିଆ ପାଇଁ ମଇଦାନକୁ ଓହ୍ଲାଇବ। କିମ୍‌ଙ୍କ ଉପରେ ଦୁନିଆରେ କାହାର ବିଶ୍ୱାସ ନାହିଁ। ଯୁଦ୍ଧ ହେଲେ, ଆମେରିକା ଉପରେ ସେ ପରମାଣୁ ବୋମା ପକାବାକୁ ବି ପଛାଇବେ ନାହିଁ। ଅନ୍ୟପକ୍ଷରେ ଚୀନ୍‌ ବିଶ୍ୱର ତୃତୀୟ ମହାଶକ୍ତି ହୋଇଥିବାରୁ ଉତ୍ତର କୋରିଆ ଓ ଚୀନ୍‌ ସହ ଏକା ସାଙ୍ଗରେ ଯୁଦ୍ଧ ଆମେରିକାକୁ ତଳିତଳାନ୍ତ କରିଦେଇ ପାରେ।