କିରଣ ବେଦୀ ହିଟଲରଙ୍କ ଭଉଣୀ ପରି: ପୁଦୁଚେରୀ ମୁଖ୍ୟମନ୍ତ୍ରୀ

ପୁଦୁଚେରୀ: ପୁଦୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ କହିଛନ୍ତି, ସେ ଜର୍ମାନ ଏକଛତ୍ରବାଦୀ ଶାସକ ଆଡଲଫ୍‌ ହିଟଲରଙ୍କ ଭଉଣୀ ପରି। ସେ କ୍ୟାବିନେଟ୍‌ ନିଷ୍ପତ୍ତିକୁ ରଦ୍ଦ କରିବା ସମୟରେ ତାଙ୍କ ରକ୍ତଚାପ ବଢ଼ିଯାଏ ବୋଲି ମଧ୍ୟ କହିଛନ୍ତି।

ଏହି କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ନିଯୁକ୍ତ ହେବା ପରଠାରୁ ବେଦୀ ତାଙ୍କ କାର୍ଯ୍ୟଭଙ୍ଗୀ ନେଇ ଅସନ୍ତୋଷ ଜାହିର କରିଆସିଛନ୍ତି। ସେ ଅଭିଯୋଗ ଆଣିଛନ୍ତି, ନିର୍ବାଚିତ ସରକାରର ନିଷ୍ପତ୍ତିକୁ ଖାରଜ କରିବା ସହ ସେ ନିୟମିତ ପ୍ରଶାସନିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିଆସୁଛନ୍ତି।

ଆଜି ଇନ୍ଦିରା ଗାନ୍ଧିଙ୍କ ଜନ୍ମବାର୍ଷିକୀରେ ଦଳୀୟ କାର୍ଯ୍ୟାଳୟଠାରେ କଂଗ୍ରେସ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, ସେ ଜଣେ ଏକଚ୍ଛତ୍ରବାଦୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ଜର୍ମାନ ଏକଚ୍ଛତ୍ରବାଦୀ ଶାସକ ଆଡଲଫ୍‌ ହିଟଲର୍‌ଙ୍କ ଭଉଣୀଙ୍କ ଭଳି କାର୍ଯ୍ୟ କରୁଛନ୍ତି।

ମୁଖ୍ୟମନ୍ତ୍ରୀ କିରଣ ବେଦୀଙ୍କ କାର୍ଯ୍ୟକଳାପକୁ ବିରୋଧ କରି କହିଛନ୍ତି, “ସେ ମନ୍ତ୍ରଣାଳୟର ପ୍ରତି ନିଷ୍ପତ୍ତିର ପଥରୋଧ କରୁଛନ୍ତି। ଅନ୍ୟ କେହି ରାଜ୍ୟପାଳ ବା ଉପରାଜ୍ୟପାଳ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳର କାର୍ଯ୍ୟରେ ହସ୍ତକ୍ଷେପ କରନ୍ତିନି। କେବଳ କିରଣ ବେଦୀ ହିଁ ପୁଦୁଚେରୀରେ ଏଭଳି ହସ୍ତକ୍ଷେପ କରୁଛନ୍ତି।”