‘ହିଟଲର’ ରୂପରେ କିରଣ ବେଦୀ

ପୁଡ଼ୁଚେରୀ ଉପରାଜ୍ୟପାଳ କିରଣ ବେଦୀ ଆଜି ତାଙ୍କ ଟ୍ୱିଟର ଏକାଉଣ୍ଟରେ କିଛି ଫଟୋ ପୋଷ୍ଟ୍‌ କରିଛନ୍ତି। ଏହି ଫଟୋଗୁଡ଼ିକ କିଛି ଖବର କାଗଜରେ ପ୍ରକାଶିତ ହୋଇଥିଲା। ଏଗୁଡ଼ିକ ପ୍ରକୃତିରେ କିଛି ପୋଷ୍ଟର। ଏହି ପୋଷ୍ଟରରେ ରହିଛି କିରଣ ବେଦୀଙ୍କ ଫଟୋ। ଏଥିରେ କିରଣ ବେଦୀଙ୍କୁ ଏକଛତ୍ରବାଦୀ ଶାସକ ହିଟଲରଙ୍କ ସହ ତୁଳନା କରାଯାଇଛି। ତାଙ୍କୁ ହିଟଲର ଭାବେ ସଜାଇବାକୁ ଯାଇ ତାଙ୍କର ନିଶ ମଧ୍ୟ କରାଯାଇଛି। ଏହି ଫଟୋକୁ ଟ୍ୱିଟ୍ କରି କିରଣ ବେଦୀ ଲେଖିଛନ୍ତି ଯେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଏହି ପୋଷ୍ଟରଗୁଡ଼ିକ କଂଗ୍ରେସ କର୍ମକର୍ତ୍ତାମାନେ ଲଗାଇଛନ୍ତି।

ସୂଚନାଯୋଗ୍ୟ, ପୁଡ଼ୁଚେରୀରେ କିରଣ ବେଦୀ ଓ କଂଗ୍ରେସ ସରକାର ମଧ୍ୟରେ ବହୁଦିନ ହେଲା ଟଣାଓଟରା ଚାଲିଛି। ଉପରାଜ୍ୟପାଳ କିରଣ ବେଦୀ ଓ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀଙ୍କ ମଧ୍ୟରେ ସଂପର୍କ ପୂରା ତିକ୍ତ ହୋଇଯାଇଛି। ଏବେ ଏହା ଜଳଜଳ ହୋଇ ଦିଶୁଛି। କିରଣ ବେଦୀ ନିଜ କ୍ଷମତା ବାହାରେ ଯାଇ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। ପୁଡୁଚେରୀ ସରକାରଙ୍କ ଗୁପ୍ତ ସୂଚନାଗୁଡ଼ିକୁ ଉପରାଜ୍ୟପାଳ ଟ୍ୱିଟ୍‌ କରି ସମସ୍ତଙ୍କୁ ଜଣାଇ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।