ଆସିବ ନୂଆ ୧୦ ଟଙ୍କିଆ ନୋଟ୍‌, ରହିବ କୋଣାର୍କ ମନ୍ଦିରର ଚିତ୍ର

ନୂଆଦିଲ୍ଲୀ: ବଦଳିବ ୧୦ ଟଙ୍କିଆ ନୋଟ୍‌ର ରୂପ। ବଜାରକୁ ଆସିବ ନୂଆ ୧୦ ଟଙ୍କିଆ ନୋଟ୍। ମିଳିଥିବା ସୂଚନା ଅନୁଯାୟୀ ନୂଆ ୧୦ ଟଙ୍କିଆ ନୋଟ୍ ଛାପିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍‌ବିଆଇ) ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। କିଛି ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଆର୍‌ବିଆଇ କୁଆଡ଼େ ୧୦ ଲକ୍ଷ ନୂଆ ୧୦ ଟଙ୍କିଆ ନୋଟ୍ ଛାପି ସାରିଛି। କିନ୍ତୁ ଏନେଇ ଆର୍‌ବିଆଇ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।

ସୂଚନା ଅନୁଯାୟୀ, ନୂଆ ନୋଟ୍‌ଟି ଚକ୍‌ଲେଟ୍ ରଙ୍ଗର ଦିଶିବ। ଏଥିରେ ଓଡ଼ିଶାର ଗର୍ବ ଓ ଗୌରବ କୋଣାର୍କର ଥିବା ସୂର୍ଯ୍ୟ ମନ୍ଦିରର ଛବି ବି ରହିବ। ଯଦି ଏହା ସତ ହୋଇଥାଏ, ତା’ହେଲେ ନୂଆ ବର୍ଷରେ ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ଖୁସି ଖବର ହେବ ନିଶ୍ଚୟ।

କୁହାଯାଉଛି, ଗତମାସରେ ହିଁ ୧୦ ଟଙ୍କିଆ ନୋଟ୍‌ର ନୂଆ ଡିଜାଇନ୍‌କୁ ଅନୁମତି ମିଳିଥିଲା। ଶେଷ ଥର ପାଇଁ ୨୦୦୫ରେ ୧୦ ଟଙ୍କିଆ ନୋଟ୍‌କୁ ବଦଳା ଯାଇଥିଲା।

୨୦୧୭ ଅଗଷ୍ଟ ମାସରେ ମହାତ୍ମା ଗାନ୍ଧୀ ସିରିଜ୍‌ର ନୂଆ ୫୦ ଓ ୨୦୦ ଟଙ୍କିଆ ନୋଟ୍ ଜାରି କରାଯାଇଥିଲା।  ୨୦୧୬ରେ ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବନ୍ଦ କରି ଦେଇଥିଲେ। ଏହା ସ୍ଥାନରେ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ ଜାରି କରିଥିଲେ। ଏହା ପରେ ସରକାର ନୂଆ ନୋଟ୍ ବଜାରକୁ ଛାଡ଼ିବା ପ୍ରକ୍ରିୟା ଜାରି ରଖିଛନ୍ତି।