ଟ୍ରିପଲ ତଲାକ ବିଲ୍‌ରେ କ’ଣ ସବୁ ବ୍ୟବସ୍ଥା ଅଛି

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ଗତକାଲି ଟ୍ରିପଲ ତଲାକ ବିଲ୍‌କୁ ଅନୁମୋଦନ ମିଳିଛି। ଅର୍ଥାତ ଏଣିକି ମୁସଲିମ ସମ୍ପ୍ରଦାୟରେ ପ୍ରଚଳିତ ଟ୍ରିପଲ ତଲାକ ପ୍ରଥା ଏକ ଦଣ୍ଡନୀୟ ଅପରାଧ ବିବେଚିତ ହେବ।

ତେବେ ଏହି ବିଲ୍‌ରେ କ’ଣ ସବୁ ବ୍ୟବସ୍ଥା ରହିଛି ଆସନ୍ତୁ ଜାଣିବା…

୧: ଯଦି ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ୩ଥର ଟ୍ରିପଲ ତଲାକ କହି, ଲେଖି କିମ୍ବା ଯେ କୌଣସି ମାଧ୍ୟମରେ ଜଣାଇ ଛାଡ଼ପତ୍ର ଦିଅନ୍ତି, ତା’ହେଲେ ଏହାକୁ ଅପରାଧ ଭାବେ ବିବେଚନା କରାଯିବ।

୨: ତିନ୍‌ ତଲାକର ଶିକାର ହୋଇଥିବା ପୀଡ଼ିତା କିମ୍ବା ତାଙ୍କ ପରିବାର ସଦସ୍ୟ ହିଁ କେବଳ ଥାନାରେ ଏନେଇ ମାମଲା କରିପାରିବେ।

୩: ପୁଲିସ୍‌ ବିନା ୱାରେଣ୍ଟରେ ତିନ୍‌ ତଲାକ ଦେଇଥିବା ଅଭିଯୋଗରେ ସ୍ୱାମୀଙ୍କୁ ଗିରଫ କରିପାରିବ।

୪: ତିନ ତଲାକ କହି ଛାଡ଼ପତ୍ର ଦେଇଥିବା ବ୍ୟକ୍ତିଙ୍କୁ ୩ ବର୍ଷର ଜେଲ ଦଣ୍ଡ ସହ ଜୋରିମାନା ଦେବାକୁ ପଡ଼ିବ। ମାଜିଷ୍ଟ୍ରେଟ୍‌ କୋର୍ଟରୁ ହିଁ ଅଭିଯୁକ୍ତ ବ୍ୟକ୍ତି ଜାମିନ ପାଇପାରିବେ।

୫: ମାଜିଷ୍ଟ୍ରେଟ କୋର୍ଟ ଟ୍ରିପଲ ତଲାକର ଶିକାର ହୋଇଥିବା ପୀଡ଼ିତାଙ୍କ ବୟାନ ନ ଶୁଣିବା ଯାଏ ଅଭିଯୁକ୍ତଙ୍କୁ ଜାମିନ ଦେଇପାରିବେ ନାହିଁ।

୬: ଟ୍ରିପଲ ତଲାକର ଶିକାର ହୋଇଥିବା ମହିଳା ଓ ତାଙ୍କ ପିଲାଙ୍କ ଭରଣପୋଷଣ ଦାୟିତ୍ୱ ସମ୍ପର୍କରେ ମାଜିଷ୍ଟ୍ରେଟ ହିଁ ନିଷ୍ପତ୍ତି ନେବେ। ଏହାକୁ ଅଭିଯୁକ୍ତ ମାନିବାକୁ ବାଧ୍ୟ।

୭: ନିୟମ ଅନୁଯାୟୀ, ଟ୍ରିପଲ ତଲାକ ସମୟରେ ଯଦି ପୀଡ଼ିତାଙ୍କ ଛୋଟ ଛୁଆ ରହିଛନ୍ତି, ତା’ହେଲେ ସେମାନଙ୍କ ଲାଳନ ପାଳନ ଦାୟିତ୍ୱ କେବଳ ମା’ଙ୍କୁ ହିଁ ମିଳିବ।

୮: ନୂଆ ଆଇନ୍‌ରେ ବୁଝାମଣାର ବ୍ୟବସ୍ଥା ରହିଛି। ତେବେ ଏହି ବୁଝାମଣା କେବଳ ପତ୍ନୀ ଚାହିଁଲେ ହିଁ କରାଯାଇ ପାରିବ। କିନ୍ତୁ ଏଥିପାଇଁ ମାଜିଷ୍ଟ୍ରେଟ ବୁଝାମଣାର ସମସ୍ତ ସର୍ତ୍ତ ନିରୂପଣ କରିବେ।