ଏହି ବ୍ୟକ୍ତିଙ୍କୁ କୁହାଯାଉଛି ‘ଅଭିଶପ୍ତ ଭୂତମଣିଷ’; ଅଧିକ ଜାଣିବା ପାଇଁ କ୍ଲିକ୍‌ କରନ୍ତୁ

ନୂଆଦିଲ୍ଲୀ: ଆପଣ ବିଶ୍ୱାସ କରନ୍ତୁ ବା ନ କରନ୍ତୁ, କିନ୍ତୁ ମୁହଁର ସୌନ୍ଦର୍ଯ୍ୟ ଓ ଶାରୀରିକ ଗଠନ ଆଜିର ଦୁନିଆରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଆଉ ଯଦି ଚର୍ମରେ କୌଣସି ପ୍ରକାର ବିରଳ ବିଶୃଙ୍ଖଳା ଦେଖାଯାଏ ତାହା ମନୁଷ୍ୟକୁ ବିକୃତ କରି ଦିଏ। ଅନେକ ସମୟରେ ସଚେତନତା ଅଭାବରୁ ଏଭଳି ବିଶୃଙ୍ଖଳାର ଶିକାର ହେଉଥିବା ଲୋକେ ସମାଜରେ ଭାରି ହଇରାଣ ହୁଅନ୍ତି। ଜୀବନ ଜିଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼େ। ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଆଣ୍ଟୋନିଓ ରେଲୋଜ୍। ବୟସ ମାତ୍ର ୨୬ ବର୍ଷ। ସେ ଫିଲିପାଇନ୍ସର ବାସିନ୍ଦା। ଡେକାନ୍ କ୍ରୋନିକାଲ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସ୍ଥାନୀୟ ଲୋକମାନେ ତାଙ୍କୁ ଅଭିଶପ୍ତ ‘ଭୂତ ମଣିଷ’ ବୋଲୀ ସମ୍ୱୋଧନ କରୁଛନ୍ତି।

ଆଣ୍ଟୋନିଓ ଇଚ୍‌ଥିଓସିସ୍‌ ନାମକ ଏକ ଚର୍ମ ରୋଗରେ ପୀଡ଼ିତ ହୋଇଛନ୍ତି। ଏହି ରୋଗ ଚର୍ମକୁ ଟାଣ କରିଦିଏ ଓ ଫଟାଇ ଦିଏ। ଚର୍ମ ଜଳିଳା ଭଳି ଦୃଶ୍ୟମାନ ହୁଏ। ତାଙ୍କ ସ୍ଥିତି ବହୁତ ଖରାପ ହୋଇଯାଇଛି। ଏବେ ସେ ଲୋକଙ୍କଠାରୁ ନିଜକୁ ଲୁଚାଇ ରଖୁଛନ୍ତି। ଏହି ରୋଗ ତାଙ୍କର ମୁହଁକୁ ସଂପୂର୍ଣ୍ଣ ଭାବେ କବଳିତ କରିସାରିଛି। ତାଙ୍କ ଆଖି ମଧ୍ୟ ପ୍ରଭାବିତ ହୋଇଛି। ଏହା ଆଉ ସାଧାରଣ ଦେଖାଯାଉ ନାହିଁ।

ଆଣ୍ଟୋନିଓଙ୍କ ସେବା କରୁଛନ୍ତି ତାଙ୍କ ଜେଜେମା’। କାରଣ ତାଙ୍କ ମା’ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ତାଙ୍କୁ ଯେତେବେଳେ ୧୨ ବର୍ଷ ହୋଇଥିଲା ସେ ଏହି ଚର୍ମ ରୋଗରେ ପୀଡ଼ିତ ହେଲେ। ତା’ପରଠାରୁ ତାଙ୍କ ମା’ ତାଙ୍କୁ ଛାଡ଼ି ଦେଇଛନ୍ତି।

ସ୍ଥାନୀୟ ଲୋକେ ତାଙ୍କୁ ଜୀବନ ବଞ୍ଚିବାକୁ ସାହସ ଦେବା ବଦଳରେ ଟାହିଟାପରା କରୁଛନ୍ତି ଓ ତାଙ୍କୁ ଅଭିଶପ୍ତ ଭୂତମଣିଷ ବୋଲି ଡାକୁଛନ୍ତି। ସେ ସ୍ୱାଧୀନତାର ସହ କୌଣସି ସ୍ଥାନକୁ ଯାଇପାରୁ ନାହାନ୍ତି। ଚର୍ଚ୍ଚ ଯାଇପାରୁ ନାହାନ୍ତି କି ବଜାର ବୁଲିବାକୁ ଯାଇପାରୁ ନାହାନ୍ତି। ସେ ଅଧିକ ଚଲାବୁଲା କଲେ ଚର୍ମରେ ଯନ୍ତ୍ରଣା ହୁଏ। ସେ ଏକ କାଠର ଘର ଭିତରେ ଆବଦ୍ଧ ହୋଇ ରହୁଛନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି।

ଘରେ ବସି ବସି ସେ ଦିନସାରା ଇଲେକ୍‌ଟ୍ରୋନିକ୍‌ସ ଉପକରଣଗୁଡ଼ିକୁ ସଜାଡ଼ିବାରେ ବ୍ୟସ୍ତ ରୁହନ୍ତି। ସୁସ୍ଥ ହେବା ପରେ ସେ ଜଣେ ଇଲେକ୍‌ଟ୍ରିସିଆନ୍ ହେବାକୁ ଚାହାନ୍ତି।

ଆଣ୍ଟୋନିଓ ସୁସ୍ଥ ହେବାକୁ ଚାହାନ୍ତି। ଲୋକେ ତାଙ୍କୁ ସାଧାରଣ ମଣିଷ ଭଳି ଦେଖନ୍ତୁ ବୋଲି ସେ ଚାହାନ୍ତି। ସେଥିପାଇଁ କେହି ତାଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି।