ସମଲିଙ୍ଗୀଙ୍କ ଅଧିକାର ଯୁଦ୍ଧର ପାଞ୍ଚ ମହାରଥୀଙ୍କୁ ଜାଣନ୍ତୁ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସମଲିଙ୍ଗୀ ସମ୍ପର୍କକୁ ନେଇ ଲାଗି ରହିଥିବା ବାଦବିବାଦର ଅନ୍ତ ଘଟିଛି। ଏଣିକି ଏଭଳି ସମ୍ପର୍କ ଆଉ ଅପରାଧ ପର୍ଯ୍ୟାୟଭୁକ୍ତ ହେବନାହିଁ ବୋଲି ସବୋର୍ଚ୍ଚ ନ୍ୟାୟାଳୟ କହିବା ପରେ ବ୍ରିଟିଶ ଅମଳରୁ ଚାଲି ଆସୁଥିବା ଧାରା ୩୭୭ ବେଆଇନ୍‌ ହୋଇଯାଇଛି। 
 
ସୁପ୍ରିମକୋର୍ଟ ଏହି ଐତିହାସିକ ରାୟ ଦେଇ କହିଛନ୍ତି ଯେ, ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ। ଏଣୁ ଏଣିକି ଏଥିପାଇଁ କାହାରିକୁ ଦଣ୍ଡିତ କରାଯାଇ ପାରିବ ନାହିଁ।
 
୨୦୦୯ରେ ଦିଲ୍ଲୀ ହାଇକୋର୍ଟ ଦୁଇ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସହମତି ଭିତ୍ତିରେ ଚାଲିଥିବା ଯୌନାଚାର ଅପରାଧ ନୁହେଁ ବୋଲି ଘୋଷଣା କରିଥିଲେ। ସେତେବେଳେ ଧାରା ୩୭୭ ବଳବତ୍ତର ଥିବାରୁ ଦିଲ୍ଲୀ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ସମ୍ପର୍କରେ ସମୀକ୍ଷା ନିମନ୍ତେ ସୁପ୍ରିମ୍‌ କୋର୍ଟରେ ଅପିଲ କରାଯାଇଥିଲା। ଯେଉଁ ଆବେଦନକୁ ୨୦୧୩ରେ ସୁପ୍ରିମ୍‌ କୋର୍ଟ ଖାରଜ କରି ଦେଇଥିଲେ।
 
ଦିଲ୍ଲୀ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ସର୍ବୋଚ୍ଚ ନ୍ୟାୟାଳୟରେ ଖାରଜ ହେବା ପରେ ୨୦୧୬ରେ ୫ ଜଣ ଭାରତୀୟ ସେଲିବ୍ରେଟୀ ମାମଲାରେ ପୁନର୍ବିଚାର ଲାଗି କୋର୍ଟଙ୍କୁ ଚ୍ୟାଲେଞ୍ଜ କରିଥିଲେ। ଯାହାକୁ ଗ୍ରହଣ କରି କୋର୍ଟ ଆଜି ଏ ନିଷ୍ପତ୍ତି ଶୁଣାଇଛନ୍ତି। ଆସନ୍ତୁ ଜାଣିବା ସେହି ଅପିଲକାରୀମାନଙ୍କ ସମ୍ପର୍କରେ। ଯାହାଙ୍କ ବାବଦରେ ହୁଏତ ଆପଣ ଜାଣି ନ ଥିବେ।
 
ନଭତେଜ୍‌ ସିଂହ ଜୋହର(୫୯):  ଅଶୋକା ବିଶ୍ୱବିଦ୍ୟାଳୟର ଅତିଥି ଅଧ୍ୟାପକ ନଭତେଜ୍‌ ହେଉଛନ୍ତି ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ। ୨୫ ବର୍ଷ ଧରି ସମ୍ପର୍କରେ ଥିବା ନିଜ ସାଥିଙ୍କ ସହ ସେ କୋର୍ଟଙ୍କୁ ଏ ମାମଲାରେ ଚ୍ୟାଲେଞ୍ଜ କରିଥିଲେ। ସେ ଦର୍ଶାଇଥିଲେ ଯେ, ଧାରା ୩୭୭ ସମ୍ବିଧାନରେ ଥିବା ଜୀବନ ଓ ବ୍ୟକ୍ତିଗତ ସ୍ୱାଧିନତା ଅଧିକାରକୁ ଉଲଙ୍ଘନ କରୁଛି।
 
ସୁନିଲ ମେହେର(୬୩):   ମ୍ୟାକ୍ସିମା ମ୍ୟାଗାଜିନ୍‌ର ପୂର୍ବତନ ଏଡିଟର୍‌ ତଥା ବରିଷ୍ଠ ସାମ୍ବାଦିକ ସୁନିଲ ମେହେର ମଧ୍ୟ ସୁପ୍ରିମ୍‌ କୋର୍ଟଙ୍କୁ ଏ ବାବଦରେ ପୁନର୍ବିଚାର ଲାଗି ପ୍ରାର୍ଥନା କରିଥିଲେ। ସୁନୀଲ ହେଉଛନ୍ତି ଊର୍ଦ୍ଦୁ ଲୋକକଳା ‘dastango’ର ଜଣେ ପ୍ରଖ୍ୟାତ କଳାକାର। ଦୁରଦର୍ଶନରେ ପ୍ରସାରିତ “ସିନେ ତରଙ୍ଗ” କାର୍ଯ୍ୟକ୍ରମର ମଧ୍ୟ ସେ ହେଉଛନ୍ତି ଭୂତପୂର୍ବ ନିର୍ଦ୍ଦେଶକ। ସୁନିଲ ନିଜ ସାଥି ନଭତେଜ୍‌ ସିଂହ ଜୋହରଙ୍କ ସହ ମିଶି ‘ଅଭୟ’ ଷ୍ଟୁଡିଓ ସଂସ୍ଥାପନ କରିଥିଲେ।  
 
ରୀତୁ ଡାଲମିଆଁ(୪୫): ରୀତୁ ହେଉଛନ୍ତି ଜଣେ ପ୍ରଖ୍ୟାତ ଖାଦ୍ୟ ବିଶେଷଜ୍ଞ। ସେ ଅନେକ ଖାଦ୍ୟ ସମ୍ପର୍କିତ ଶୋ’ ହୋଷ୍ଟ କରିଛନ୍ତି। ରିତୁ ମଧ୍ୟ ଉପରୋକ୍ତ ମାମଲାର ପୁନର୍ବିଚାର ଲାଗି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପ୍ରାର୍ଥନା କରିଥିଲେ।
 
କୋଲକତାରେ ଏକ ମାରୱାଡି ପରିବାରରେ ଜନ୍ମିତ ରୀତୁ ଖାଦ୍ୟ ସମ୍ପର୍କତ ଏକାଧିକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ଅତି କମ୍‌ ବୟସରୁ ସେ ନିଜକୁ ନିଜ ପାରିବାରିକ ବ୍ୟବସାୟରେ ସାମିଲ କରିଥିଲେ। ପରେ ବିଭିନ୍ନ ଦେଶର ଖାଦ୍ୟ ଓ ଏହାର ରନ୍ଧନ ଶୈଳୀ ସମ୍ପର୍କରେ ଜାଣିବାକୁ ସେ ଗବେଷଣା ଆରମ୍ଭ କରିଥିଲେ। ଶ୍ରୀମତୀ ରିତୁ ଇଟାଲିଆନ୍‌ ରେସିପି ସମ୍ପର୍କରେ ସ୍ୱତନ୍ତ୍ରତା ରଖନ୍ତି। ତାଙ୍କ ବହିଗୁଡିକ ମଧ୍ୟରେ ବେଷ୍ଟ ସେଲର୍‌ ପୁସ୍ତକ ହେଉଛି Travelling Diva। 
 
ଅମନ ନାଥ(୬୧):  ଇତିହାସ ଓ ସ୍ଥାପତ୍ୟ କଳାରେ ରୁଚି ରଖୁଥିବା ଅମନ ହେଉଛନ୍ତି “Neemrana chain of hotels”ର ସଂସ୍ଥାପକ। କଳା ଓ ଇତିହାସ ସମ୍ପର୍କରେ ଅନେକ ପୁସ୍ତକ ରଚନା କରିଛନ୍ତି ଅମନ। ଏପରିକି ବିଶ୍ୱବିଖ୍ୟାତ ବିତରକ ‘କ୍ରିଷ୍ଟି’ ଦ୍ୱାରା ବିତରଣ ଲାଗି ପ୍ରଥମ ଭାରତୀୟ ଲେଖକ ଭାବେ ଅମନଙ୍କ ପୁସ୍ତକ ହିଁ ମନୋନୀତ ହୋଇଛି। 
 
ଆୟେଶା କପୁର(୪୪): ଆୟେଶା ହେଉଛନ୍ତି ଜଣେ ମହିଳା ବ୍ୟବସାୟୀ। ଯେ, ଖାଦ୍ୟ ବ୍ୟବସାୟ ବୃତ୍ତିରେ ଭାରତରେ ବେଶ୍‌ ନାଁ କରିଛନ୍ତି। ସମଲିଙ୍ଗୀ ସମ୍ପର୍କକୁ ଦୃଢ ଭାବେ ସମର୍ଥନ କରୁଥିବା ସେଲିବ୍ରେଟିଙ୍କ ଭିତରେ ସେ ହେଉଛନ୍ତି ଅନ୍ୟତମ।