ଛୁଆ ଗୋଟିଏ, ବାପା ହେବାକୁ ୩ ଦାବିଦାର

କୋଲକାତା: ଛୁଆ ଗୋଟିଏ, କିନ୍ତୁ ୩ ଜଣ ବ୍ୟକ୍ତି ନିଜକୁ ତା’ର ବାପା ବୋଲି ଦାବି କରିବା ଘଟଣା ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏଭଳି ଘଟଣା ଘଟିବାର ଗୋଟିଏ ଦିନ ପୂର୍ବରୁ ହିଁ ଛୁଟିର ମା’ ହସ୍ପିଟାଲ ଆସିଥିଲେ। ତାଙ୍କ ସହ ତାଙ୍କ ମା’ ଏବଂ ଆଉ ଜଣେ ବ୍ୟକ୍ତି ଆସିଥିଲେ। ଏହି ବ୍ୟକ୍ତି ନିଜକୁ ମହିଳାଙ୍କ ସ୍ୱାମୀ ଦର୍ଶାଇଥିଲେ ଏବଂ ମହିଳା ଅପରେସନ୍‌ ଥିଏଟର ଯିବା ଆଗରୁ ଆଡ୍‌ଭାନ୍ସ ଭରିଥିଲେ।

ସବୁ କିଛି ଠିକ୍‌ ଥିଲା। ହଠାତ୍‌ ଜଣେ ବ୍ୟକ୍ତିଙ୍କର ଆବିର୍ଭାବ ହୋଇଥିଲା। ସେ ମଧ୍ୟ ନିଜକୁ ମହିଳାଙ୍କ ସ୍ୱାମୀ କହିବା ସହ ଭେଟିବାକୁ ଚାହିଁଥିଲେ। ଏହାପରେ ହସ୍ପିଟାଲ ଷ୍ଟାଫ୍‌ ପୂର୍ବ ବ୍ୟକ୍ତିଙ୍କ ବାବଦରେ କହିବା ସହ ଦ୍ୱିତୀୟ ବ୍ୟକ୍ତିଙ୍କୁ ମହିଳାଙ୍କ ପରିବାର ନିକଟକୁ ନେଇ ଯାଇଥିଲେ। ଏହା ପରେ ୨ ବ୍ୟକ୍ତି ହାତାହାତି ହେବା ଏବଂ ପୁଲିସ୍‌ ଆସିବା ଭଳି ଘଟଣାବେଳେ ହିଁ ମହିଳା ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ କରିଥିଲେ।

ତେବେ ହସ୍ପିଟାଲ ବାହାରେ ଦୀର୍ଘ ସମୟ ହୋ ହଲ୍ଲା ଚାଲିବା ପରେ ପୁଲିସ୍‌ ବିବାହ ପ୍ରମାଣ ପତ୍ର ମାଗିଥିଲା। ଦ୍ୱିତୀୟ ବ୍ୟକ୍ତି ପ୍ରମାଣପତ୍ର ଦେଇପାରିଥିଲେ ହେଁ ପ୍ରଥମ ବ୍ୟକ୍ତି ନିଜକୁ ପୁଲିସ୍‌ ଆଗରେ ‘ଜଷ୍ଟ ଏ ଫ୍ରେଣ୍ଡ’ କହିଥିଲେ। ତେବେ ମହିଳାଙ୍କ ମା ଦ୍ୱିତୀୟ ବ୍ୟକ୍ତିଙ୍କୁ ତାଙ୍କ ଜ୍ୱାଇଁ ବୋଲି ଅସ୍ୱୀକାର କରିବା ପରେ ଏହି ପ୍ରସଙ୍ଗ ଜଟିଳ ହୋଇଥିଲା। ଏଥିରେ ଆଉ ଟିକେ ଜଟିଳତା ଭରିଦେଇ ଏଣ୍ଟ୍ରି କରିଥିଲେ ତୃତୀୟ ବ୍ୟକ୍ତି। ସେ ନିଜକୁ ମହିଳାଙ୍କ ସ୍ୱାମୀ ବୋଲି କହିନଥିଲେ ମଧ୍ୟ ଛୁଆର ବାପା ବୋଲି କହିଥିଲେ। ଏପରି ଫିଲ୍ମି କନ୍‌ଫ୍ୟୁଜନ୍‌ରେ ପୁଲିସ୍‌ ଫଶି ରହିଥିବାବେଳେ ମହିଳା ଅବଚେତନ ଅବସ୍ଥାରେ ଥିବାରୁ ପୁଲିସ୍‌ ମହିଳାଙ୍କ ମୁହଁରୁ ହିଁ ଉତ୍ତର ପାଇବାକୁ ଅପେକ୍ଷା କରିଥିଲେ।

ମଧ୍ୟରାତ୍ରିରେ ହିଁ ମହିଳାଙ୍କ ବୟାନ ରେକର୍ଡ କରିବାକୁ ଅନମୁତି ମିଳିଥିଲା। ସେ କହିଥିଲେ ଦ୍ୱିତୀୟ ବ୍ୟକ୍ତି ହିଁ ତାଙ୍କ ସ୍ୱାମୀ। ନିଜ ଜଟିଳ ସମ୍ପର୍କ ବାବଦରେ ସ୍ପଷ୍ଟ କରି ମହିଳା କହିଥିଲେ ଗତ ଏପ୍ରିଲରେ ହିଁ ସେ ଦ୍ୱିତୀୟ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ଏହି ବ୍ୟକ୍ତି ପ୍ରଥମେ ତାଙ୍କୁ ପତ୍ନୀ ବୋଲି ଗ୍ରହଣ କରିନଥିଲେ ମଧ୍ୟ ପରେ ତାଙ୍କ ନାମରେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିବାରୁ ସେ ବିବାହ କରିଥିଲେ। ଏ ଦୁହେଁ ପ୍ରଥମେ କ୍ଲବ୍‌ରେ ଦେଖା ହୋଇଥିଲେ। ତେବେ ଶେଷରେ ଅସଲି ବାପା ବୋଲି ପ୍ରମାଣିତ ବ୍ୟକ୍ତି କହିଥିଲେ, ମୁଁ ବାପା ହୋଇଛି ବୋଲି ହ୍ୱାଟ୍‌ସଆପ୍‌ରୁ ଜାଣିଥିଲି।