ଟିପୁ ଜୟନ୍ତୀ ଉତ୍ସବକୁ ୟେଦ୍ୟୁ ସରକାରଙ୍କ ନା

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ବିଜେପି କ୍ଷମତା ଦଖଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା ଆକ୍ସନ ମୋଡକୁ ଚାଲି ଆସିଛନ୍ତି। ୨୦୧୫ରୁ ମହୀଶୂରର କିମ୍ବଦନ୍ତୀ ଶାସକ ଟିପୁ ସୁଲତାନଙ୍କ ଜନ୍ମ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିଲା। ହେଲେ ଚଳିତ ବର୍ଷ ଠାରୁ ରାଜ୍ୟରେ ଟିପୁ ଜୟନ୍ତୀ ଆଉ ପାଳନ ହେବ ନାହିଁ ବୋଲି ଆଜି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ନିର୍ଦ୍ଦେଶନାମା ଜାରି କରିଛନ୍ତି।

ପୂର୍ବରୁ କର୍ଣ୍ଣାଟକାରେ କ୍ଷମତାରେ ଥିବା କଂଗ୍ରେସର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ୨୦୧୫ରୁ ପ୍ରତିବର୍ଷ ନଭେମ୍ୱର ୧୦ରେ ଟିପୁ ଜୟନ୍ତୀ ପାଳନ କରି ଆସୁଥିଲେ। ଏହିଁ ଉତ୍ସବକୁ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ସମୟରେ ମଧ୍ୟ ପାଳିତ ହୋଇଥିଲା।

ଏହାକୁ ସେତେବେଳେ ବିରୋଧୀ ଦଳ ଭାବେ ବିଜେପି ବିରୋଧ କରୁଥିଲେ ହେଁ ଏହାକୁ ରୋକିପାରି ନଥିଲା। କିନ୍ତୁ ବିଜେପି ଏବେ କ୍ଷମତା ଦଖଲ କରିବା ପରେ ଟିପୁ ଜୟନ୍ତୀ ପାଳନକୁ ବ୍ୟାନ୍ କରିଛି। ଭିରଜପେଟ ବିଧାୟକ କେଜି ବୋପାଇ ପ୍ରଥମେ ଟିପୁ ଜୟନ୍ତୀ ପାଳନ ଉପରେ ରୋକ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ ନିକଟକୁ ଚିଠି ଲେଖିଥିଲେ। ଏହା ଉପରେ ବିଚାର କରି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି।