କୁଳଭୂଷଣ ଶୁଣାଣି : ପଢନ୍ତୁ ଆଜି କ’ଣ ହେଲା

ନୂଆଦିଲ୍ଲୀ: ଦୋଛକିରେ ପୂର୍ବତନ ନୌସେନା ଅଧିକାରୀ  କୁଳଭୂଷଣଙ୍କ ଭାଗ୍ୟ। ପାକିସ୍ତାନରେ ମୃତ୍ୟୁଦଣ୍ଡାଦେଶ ପାଇଥିବା କୁଳଭୂଷଣଙ୍କୁ ନ୍ୟାୟ ମିଳିବା ନେଇ ଆଶଙ୍କା କରିଛି ଭାରତ।  ଏହି ଫାଶୀଦଣ୍ଡାଦେଶକୁ ନେଇ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ରେ(ଆଇସିଜେ) ଶୁଣାଣି ଚାଲିଥିବା ବେଳେ ଚୂଡ଼ାନ୍ତ ରାୟ ଆସିବା ପୂର୍ବରୁ ତାଙ୍କୁ ପାକିସ୍ତାନ ଫାଶୀ ଦେଇପାରେ ବୋଲି ଭାରତ ଆଶଙ୍କା କରିଛି। ସେପଟେ ଆଜି ଆଇସିଜେରେ ଉଭୟ ପାକିସ୍ତାନ ଏବଂ ଭାରତ ମୁହାଁମୁହିଁ ହୋଇଛନ୍ତି।  କୁଳଭୂଷଣଙ୍କ  ବିରୋଧରେ ହୋଇଥିବା ମୃତ୍ୟୁଦଣ୍ଡାଦେଶକୁ ରଦ୍ଦ କରିବା ପାଇଁ ଭାରତ ପକ୍ଷରୁ ତୀବ୍ର ଦାବି କରାଯାଇଛି। ଆଜି ଶୁଣାଣି ଚାଲିଥିବା ବେଳେ ଭାରତ ପକ୍ଷରୁ କୁଳଭୂଷଣଙ୍କ ସପକ୍ଷରେ ଦାବି କରାଯାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମସଚିବ ଦୀପକ ମିତ୍ତଲ ଆଇସିଜେ ନିକଟରେ ମତ ରଖିଥିଲେ।

ମାମଲାର ଶୁଣାଣି ପୂର୍ବରୁ ପାକିସ୍ତାନ କୁଳଭୂଷଣକୁ ଫାଶୀ ଦେଇପାରେ ବୋଲି ମିତଲ କୋର୍ଟକୁ ଅବଗତ କରିଥିଲେ। ଆଜି ଭାରତ କୁଳଭୂଷଣଙ୍କ ସପକ୍ଷରେ ପ୍ରାୟ ୯୦ ମିନିଟ୍ ଯୁକ୍ତି ଉପସ୍ଥାପନା କରିଥିଲା । ପାକିସ୍ତାନରେ କୂଳଭୁଷଣଙ୍କୁ ଆଇନ ସହାୟତା ପାଇଁ ସୁଯୋଗ ଦିଆଯାଇ ନଥିଲା ବୋଲି ଭାରତ ପକ୍ଷରୁ କୁହାଯାଇଛି ।  ସେପଟେ ପାକିସ୍ତାନ କହିଛି କୂଳଭୁଷଣ ଜଣେ ଗୁପ୍ତଚର। ସେ ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ(ର) ପାଇଁ କାମ କରୁଥିଲେ।

ପାକିସ୍ତାନରେ ରହି ଦେଶବିରୋଧୀ କାର୍ଯ୍ୟକଳାପରେ ରହୁଥିଲେ । ଏହା ଆମ ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି ହୋଇଥିଲା। ତେଣୁ ଦେଶର ସୁରକ୍ଷା ପ୍ରସଙ୍ଗ ଉଠିଲେ ଏଥିରେ ଆଇସିଜେ ମୁଣ୍ଡ ଖେଳେଇବା ଆବଶ୍ୟକ ନୁହେଁ ବୋଲି ପାକିସ୍ତାନ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଥିଲା। ତେବେ ଶେଷ ସୂଚନା ଅନୁଯାୟୀ ମାମଲାର ଶୁଣାଣି ସରିଯାଇଥିବା ବେଳେ ରାୟ ସଂରକ୍ଷିତ ରହିଛି। ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୩ ତାରିଖରେ କୁଳଭୂଷଣକୁ ଗିରଫ କରିଥିଲା ପାକିସ୍ତାନ। ପରେ ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ମିଲିଟାରୀ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲା। ଏନେଇ ଭାରତ ମେ ୮ ତାରିଖରେ ଆଇସିଜେର ଦ୍ୱାରସ୍ଥ ହୋଇଥିଲା।