ଧରାପଡ଼ିଲା ପାକିସ୍ତାନର ମିଛ: କୁଳଭୂଷଣଙ୍କୁ କରିଥିଲା ଅପହରଣ

ନୂଆଦିଲ୍ଲୀ: ପାକିସ୍ତାନର ସମସ୍ତ ମିଛ ଧରାପଡ଼ିଛି। ବିଶ୍ୱ ସମ୍ମୁଖରେ ପାକିସ୍ତାନ ସରକାରଙ୍କ କଳା କାରନାମାର ଗୁମର ଖୋଲିଯାଇଛି। କୁଳଭୂଷଣ ଯାଦବଙ୍କୁ ନେଇ ଭାରତ ଯେଉଁ ଦାବି ରଖିଥିଲା ତାହା ପ୍ରମାଣିତ ହୋଇଛି।  କୁଳଭୂଷଣ ଯାଦବଙ୍କୁ ଅପହରଣ କରି ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି। ଏକଥା ଆଉ କେହି ନୁହେଁ ଜଣେ ପାକିସ୍ତାନର ଜଣେ ନାଗରିକ ହିଁ ବିଶ୍ୱ ସମ୍ମୁଖକୁ ଆଣିଛନ୍ତି। ସେ ହେଉଛନ୍ତି ଦୀର୍ଘ ଦିନ ଧରି ବେଲୁଚିସ୍ତାନର ସ୍ୱାଧୀନତା ପାଇଁ ଲଢ଼ୁଥିବା ନେତା ‘ମାମା କାଦର୍’।

ସେ କହିଛନ୍ତି- “କୁଳଭୂଷଣଙ୍କୁ ଅପହରଣ କରିବା ପାଇଁ ବିଧିବଦ୍ଧ ଭାବେ ଯୋଜନା ପ୍ରସ୍ତୁତ ହୋଇଥିଲା। ପାକିସ୍ତାନ ଗୁଇନ୍ଦା ବିଭାଗ ଏକ ମୋଟା ଅଙ୍କର ଟଙ୍କା ମୌଲା ଓମର୍‌ଙ୍କୁ ଦେଇ କୁଳଭୂଷଣଙ୍କୁ ଅପହରଣ କରାଇଥିଲା। ଇରାନରୁ ଅପହରଣ ପରେ ପାକିସ୍ତାନ କୁଲଭୂଷଣଙ୍କୁ ମିଥ୍ୟା ମାମଲାରେ ସାମରିକ ବନ୍ଦୀ ଭାବେ ଘୋଷଣା କରିଛି।”

ଏହାସହ ମାମା କାଦର୍ ପାକିସ୍ତାନକୁ ‘ଆତଙ୍କର କାରଖାନା’ ବୋଲି ଆଖ୍ୟା ଦେଇଛନ୍ତି। ଏଥିସହ, ବିଶ୍ୱର ବିଭିନ୍ନ ଦେଶରେ ହେଉଥିବା ଆତଙ୍କୀ ଗତିବିଧି ପାଇଁ ପାକିସ୍ତାନର ହାତ ରହିଛି ଓ ପାକ୍ ମାଟିରେ ହିଁ ଆତଙ୍କବାଦୀଙ୍କୁ ତିଆରି କରାଯିବା ସହ ବିଧିବଦ୍ଧ ତାଲିମ ଦିଆଯାଏ ବୋଲି ମାମା କାଦର୍ ସ୍ପଷ୍ଟ କରିଛନ୍ତି।