ଆମ ଆଦମୀ ପାର୍ଟିରେ ଦଳୀୟ କନ୍ଦଳ ଜୋର ଧରିଲା: ରାଜସ୍ଥାନ ପ୍ରଭାରୀ ପଦରୁ ବିଦା ହେଲେ କୁମାର ବିଶ୍ୱାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଆଦମୀ ପାର୍ଟିର ରାଜସ୍ଥାନ ପ୍ରଭାରୀ ପଦରୁ ହଟିଲେ କୁମାର ବିଶ୍ୱାସ। ପାର୍ଟି ନେତା ଆଶୁତୋଷ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। କୁମାର ବିଶ୍ୱାସଙ୍କୁ ନେଇ ଆମ ଆଦମୀ ପାର୍ଟିର ପିଏସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ମେ ୨୦୧୭ରେ ଆପ ନେତା କୁମାର ବିଶ୍ୱାସଙ୍କୁ ଆମ ଆଦମୀ ପାର୍ଟିର ରାଜସ୍ଥାନ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା। ତେବେ ନିଜର ବ୍ୟକ୍ତିଗତ କାମରେ ବ୍ୟସ୍ତ ଥିବାରୁ ସେ ରାଜସ୍ଥାନରେ ଦଳୀୟ କାର୍ଯ୍ୟକ୍ରମରେ ସମୟ ଦେଇପାରୁନଥିବାରୁ ତାଙ୍କୁ ହଟାଯାଇଥିବା କହିଛି ଆପ୍। କୁମାର ବିଶ୍ୱାସକୁ ବାହାର କରିବା ପରେ ଏବେ ରାଜସ୍ଥାନର ନୂଆ ପ୍ରଭାରୀ ହୋଇଛନ୍ତି ଦୀପକ ବାଜପେୟୀ। ଆଗକୁ ରାଜସ୍ଥାନରେ ନିର୍ବାଚନ ହେବାକୁ ଥିବାବେଳେ, ଦଳ ପୁରା ଦମ୍ଭର ସହ ଲଢିବ ବୋଲି କହିଛି ଆପ୍।