ଭାଙ୍ଗିଲା କର୍ଣ୍ଣାଟକା ସରକାର, ୧୦୫-୯୯ରେ ଜିତିଲା ବିଜେପି

ବେଙ୍ଗାଲୁରୁ: ମଙ୍ଗଳବାର କର୍ଣ୍ଣାଟକା ବିଧାନସଭାରେ ଜେଡିଏସ୍‌-କଂଗ୍ରେସ ସରକାର ସଂଖ୍ୟା ଗରିଷ୍ଠତା ହରାଇବା ସହ ବେଶ୍‌ କିଛି ଦିନ ଧରି ଚାଲିଥିବା ନାଟକରେ ଯବନିକା ପଡ଼ିଛି। ଆଜି ଫ୍ଲୋର ଟେଷ୍ଟରେ ବିଜେପି ୧୦୫ଟି ଭୋଟ୍ ପାଇଥିବାବେଳେ ଜେଡିଏସ୍‌-କଂଗ୍ରେସ ମେଣ୍ଟକୁ ମାତ୍ର ୯୯ଟି ଭୋଟ୍‌ ମିଳିଥିଲା। ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ନାଟକ ପରେ ୨୦୯ ଆସନ ବିଶିଷ୍ଟ କର୍ଣ୍ଣାଟକା ବିଧାନସଭାରେ ମ୍ୟାଜିକ୍‌ ନମ୍ବର ୧୦୩କୁ ଖସିଆସିଥିଲା। ମେଣ୍ଟ ସରକାରର ଏହି ପରାଜୟରେ ବିଜେପି ଉତ୍ସବ ମନାଇବା ସହ ଏହାର ବିଧାୟକମାନେ ଗୃହରେ ‘ଭିକ୍ଟ୍ରି ସାଇନ୍‌’ ଦେଖାଇଥିବା ଦେଖିବାକୁ ମିଳିଥିଲା। ବିଜେପି ପକ୍ଷରୁ ଏହି ଘଟଣାରେ କୁହାଯାଇଛି ଏହା କର୍ଣ୍ଣାଟକାର ବିଜୟ। ଏକ ଅପବିତ୍ର ମେଣ୍ଟର ଅନ୍ତ ହୋଇଛି।

ତେବେ ମୋଟ ଉପରେ କହିବାକୁ ଗଲେ ରାଜନୀତିକ ଡ୍ରାମାର ଶେଷ ଅଧ୍ୟାୟରେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ସରକାର ଆସ୍ଥା ଭୋଟ୍‌ର ସଂଖ୍ୟାଗଣିତରେ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ରାଜ୍ୟରେ କୌଣସି ଆଇନଶୃଙ୍ଖଳା ପରିସ୍ଥିତିର ଆଶଙ୍କା ରଖି କର୍ଣ୍ଣାଟକାରେ ଆଜି ଏବଂ ଆସନ୍ତାକାଲି ପାଇଁ ୧୪୪ ଧାରା ଲାଗୁ ହୋଇଛି।

ଆଜି ବିଧାନସଭାର ଦ୍ୱାର ବନ୍ଦ ରଖି ଭୋଟିଂ ଆରମ୍ଭ ହୋଇଥିଲା। ଶାସକ ଦଳର ସମର୍ଥକ ବିଧାୟକ ମାନଙ୍କୁ ଠିଆ ହେବାକୁ କୁହାଯାଇଥିଲା ଏବଂ ଏହାପରେ ଗଣତି ଆରମ୍ଭ ହୋଇଥିଲା। ବାଚସ୍ପତି ରମେଶ କୁମାର ଅଧିକାରୀମାନଙ୍କୁ ଭୋଟ୍‌ ଗଣତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ ବାଚସ୍ପତି ସନ୍ଧ୍ୟା ୬ଟା ସୁଦ୍ଧା ଭୋଟ୍‌ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏହା ଭିତରେ ଭାଷଣ ସାରିପାରିନଥିଲେ।

ତେବେ ଏହି ଗୁରୁତ୍ୱପୂର୍ଣ୍ଣ ଫ୍ଲୋର ଟେଷ୍ଟ ପୂର୍ବରୁ କୁମାରସ୍ୱାମୀ କହିଥିଲେ, ମୁଁ ମୁଖ୍ୟମନ୍ତ୍ରୀ ପଦକୁ ବଳି ପକାଇବାକୁ ପ୍ରସ୍ତୁତ ଅଛି। ସେ ଆହୁରି ମଧ୍ୟ କହିଥିଲେ, ସେ ସରକାର ବଞ୍ଚାଇବାକୁ ବହୁତ ପ୍ରୟାସ କରିଥିଲେ।