ସହିପାରିଲେନି ସିନିୟରଙ୍କ ଅତ୍ୟାଚାର, ଜୀବନ ହାରିଲେ ମହିଳା ଡାକ୍ତର

ଜୟପୁର: ରାଜସ୍ଥାନର ଜୟପୁର ଠାରେ ଥିବା ଏସ୍‌ଏମଏସ୍‌ ହସ୍ପିଟାଲରେ ରାଗିଂ ନିର୍ଯାତନା ସହି ନ ପାରି ଜଣେ ୨୪ ବର୍ଷୀୟ ମହିଳା ଡାକ୍ତର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ୨୪ ବର୍ଷୀୟ ଡାକ୍ତର ଜଣଙ୍କ ଏଠାରେ ଇଣ୍ଟର୍ଣ୍ଣ ଭାବେ କାର୍ଯ୍ୟ କରୁଥିଲେ।

ତାଙ୍କୁ ହସ୍ପିଟାଲର ସିନିୟର ଡାକ୍ତରମାନେ ନିର୍ଯାତନା ଦେଉଥିବାରୁ ସେ ବୁଧବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପଞ୍ଜାବର ଫଜଲିକା ଜିଲ୍ଲାର ୨୪ ବର୍ଷୀୟ ସାକ୍ଷୀ ଏସ୍‌ଏମଏସ୍‌ ହସ୍ପିଟାଲର ମହିଳା ଚିକିତ୍ସାଳୟରେ ଇଣ୍ଟର୍ଣ୍ଣଶିପ୍ କରୁଥିଲେ।

ସେଠାରେ କାର୍ଯ୍ୟ କରୁଥିବା ୫ ଜଣ ସିନିୟର ଡାକ୍ତର ତାଙ୍କୁ ସର୍ବଦା ହଇରାଣ ହରକତ କରୁଥିବା ଅଭିଯୋଗ କରାଯାଇଛି।

ମଙ୍ଗଳବାର ଦିନ ସାକ୍ଷୀ ତାଙ୍କ ମା’ଙ୍କୁ ଫୋନ ଯୋଗେ ସବୁ କଥା କହିଥିଲେ। ଏଥିସହ ହସ୍ପିଟାଲରେ କାମର ଚାପ ଓ ସିନିୟର ଡାକ୍ତରଙ୍କ ରାଗିଂ ସମ୍ପର୍କରେ ମଧ୍ୟ ଜଣାଇଥିଲେ।

ବୁଧବାର ସକାଳେ ସାକ୍ଷୀ କ୍ଲାସ ଯାଇ ନଥିଲେ। ପରେ ହଷ୍ଟେଲ ରୁମରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ପୁଲିସ୍‌ ସାକ୍ଷୀଙ୍କ ରୁମରୁ କୌଣସି ସୁଇସାଇଡ୍‌ ନୋଟ ଠାବ କରିନାହିଁ। ତେବେ ସାକ୍ଷୀଙ୍କ ବାପାମା’ ୫ ଜଣ ସିନିୟର ଡାକ୍ତରଙ୍କ ନାଁରେ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି।