ଲାହୋର: ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଆତଙ୍କବାଦୀ ମୃତ

ଲାହୋର: ପାକିସ୍ତାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ଗୁଳି ବିନିମୟ ଘଟି ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏ ନେଇ ପାକିସ୍ତାନର ପଞ୍ଜାବ ପୋଲିସ ଆତଙ୍କବାଦ ନିରୋଧ ସଂସ୍ଥା ( ସିଟିଡି) ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହ ଆତଙ୍କବାଦୀଙ୍କ ପାଖରୁ ଗୁଳି ଗୋଳା ଓ  ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

ସୂଚନା ମୁତାବକ ଲାହୋରଠାରୁ ୫୦ କିଲୋମିଟର ଦୂର ଶିଷେପୁରା ଜିଲ୍ଲାର ଏକ ଘରେ ୧୦ରୁ ୧୨ ଜଣ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ପୋଲିସ କମାଣ୍ଡରଙ୍କ ସହ ସିଟିଡିର ଏକ ଟିମ୍‌ ଉକ୍ତ ଘରେ ଆଜି ଚଢାଉ କରି ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ଆତ୍ମସମର୍ପଣ କରିବା ବଦଳରେ ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରିଥିଲେ। ଫଳରେ ସୁରକ୍ଷାକର୍ମୀ ପଲାଟା ଆକ୍ରମଣ କରିଥିଲେ। ଏଥିରେ ୭ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ  ଘଟିଥିଲା।