ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ଶୁଣି ଡରିଗଲେ ଲାଲୁ, ଦେଲେ ବେମାରିର ଲମ୍ବା ତାଲିକା

ନୂଆଦିଲ୍ଲୀ: ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଥିବା ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କୁ ଡିସ୍‌ଚାର୍ଜ କରି ଦିଆଯାଇଛି। ହେଲେ ଡିସ୍‌ଚାର୍ଜ ପୂର୍ବରୁ ଲାଲୁ ମେଡିକାଲ ନଛାଡିବାକୁ ସବୁ ପ୍ରକାର ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡିଛି। ଲାଲୁ ଯେତେବେଳେ ଶୁଣିଲେ ତାଙ୍କୁ ଡିସଚାର୍ଜ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି, ପୂରା ଡରି ଯାଇଥିଲେ। ସାଙ୍ଗେ ସାଙ୍ଗେ ଏମ୍ସ ନିର୍ଦ୍ଦେଶଙ୍କୁ ଏକ ଚିଠି ଲେଖି ଦେଲେ। ଏଥିରେ ସେ ବେମାରିର ଏକ ଲମ୍ବା ତାଲିକା ଦେଇଥିଲେ। ଏହିସବୁ ବେମାରିରେ ସେ ପୀଡ଼ିତ ଥିବାରୁ ତାଙ୍କୁ ଡିସ୍‌ଚାର୍ଜ ନକରିବାକୁ ଉଲ୍ଲେଖ କରିଥିଲେ। ହେଲେ ଏମ୍ସ କର୍ତ୍ତୃପକ୍ଷ କିଛି ଶୁଣି ନଥିଲେ ଓ ତାଙ୍କୁ ଡିସ୍‌ଚାର୍ଜ କରି ଦେଇଥିଲେ।

ଲାଲୁ ତାଙ୍କ ଚିଠିରେ ଲେଖିଥିଲେ, “ମୋତେ କୁହାଯାଇଛି କି ମେଡିକାଲରୁ ଡିସ୍‌ଚାର୍ଜ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମୋତେ ଏଠାରେ ଉତ୍ତମ ଚିକିତ୍ସା ପାଇଁ ଅଣାଯାଇଥିଲା। ଆପଣଙ୍କୁ କହିବାକୁ ଚାହୁଁଛି, ମୁଁ ହୃଦରୋଗ, କିଡନୀ ଇନ୍‌ଫେକ୍ସନ, ମଧୁମେହ ଓ ଅନ୍ୟ ବହୁ ବେମାରିରେ ଆକ୍ରାନ୍ତ ଅଛି। ମୋ ଅଣ୍ଟାରେ ଦରଜ ହେଉଛି, ବାରମ୍ବାର ମୁଣ୍ଡ ବୁଲାଉଛି। ଏହି କାରଣରୁ ବହୁଥର ବାଥରୁମ୍‌ରେ ପଡ଼ିଯାଇଛି। ମୋ ରକ୍ତଚାପ ଓ ସୁଗାର ମଝିରେ ମଝିରେ ବଢ଼ି ଯାଉଛି।”

ସେ ଆହୁରି ଲେଖିଥିଲେ, “ମୁଁ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛି କି ରାଞ୍ଚି ମେଡିକାଲ କଲେଜରେ ମୋତେ ଚିକିତ୍ସା କରିବାର ଆବଶ୍ୟକ ବ୍ୟବସ୍ଥା ନାହିଁ। ସବୁ ନାଗରିକଙ୍କ ସାମ୍ବିଧାନିକ ଅଧିକାର ରହିଛି ଯେ ଚିକିତ୍ସା ସେମାନଙ୍କ ଇଚ୍ଛା ଅନୁସାରେ ହେଉ। ହେଲେ ରାଜନୈତିକ ଚାପରେ ମୋତେ ଏଠାରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଯେପର୍ଯ୍ୟନ୍ତ ମୋ ଦେହ ସମ୍ପୂର୍ଣ୍ଣ ଭଲ ହୋଇନାହିଁ, ମୋତେ ଏଠାରେ ରଖି ଚିକିତ୍ସା କରାଯାଉ। ଯଦି ରାଞ୍ଚି ମେଡିକାଲରେ ମୋର କିଛି ହୋଇଯାଏ, ଏଥିପାଇଁ ଏମ୍ସ ମେଡିକାଲ କର୍ତ୍ତୃପକ୍ଷ ଦାୟୀ ରହିବେ।”

ତେବେ ଏମ୍ସ ପକ୍ଷରୁ କୁହାଯାଇଛି, “ଲାଲୁ ଯାଦବଙ୍କୁ ରାଞ୍ଚିର ରିମ୍ସ ମେଡିକାଲ କଲେଜରୁ ଏଠାକୁ ରେଫର କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ଘଟିଛି। ଏବେ ତାଙ୍କୁ ପୁଣି ଥରେ ରିମ୍ସ ମେଡିକାଲ ସ୍ଥାନାନ୍ତର କରାଯାଉଛି।”