ଭୟଙ୍କର ଭୂସ୍ଖଳନରେ ୩୨ ମୃତ

ୟାନଗୁନ: ମିଆଁମାରରେ ଲଗାଣ ବର୍ଷା ଯୋଗୁ ଆଜି ଏକ ଭୟଙ୍କର ଭୂସ୍ଖଳନ ଘଟିଛି। ଏଥିରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଏବେ ବି ନିଖୋଜ ଅଛନ୍ତି। ଏବେ ମାଟି ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଦକ୍ଷିଣପୂର୍ବ ମୁନ୍‌ ଷ୍ଟେଟ୍‌ର ଥାପାୟୁ କୋନ ଗାଁରେ କିଛି ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଥିଲା।

ତେବେ ଆଜି ବର୍ଷାର ପରିମାଣ ବଢ଼ିବାରୁ ବଡ଼ ଧରଣର ଭୂସ୍ଖଳନ ହୋଇଛି। ଫଳରେ ଏଠାରେ ଥିବା ଅନେକ ଘର ଅତଡ଼ା ତଳେ ପୋତି ହୋଇଯାଇଛି। ଉଦ୍ଧାରକାରୀ ଦଳ ୨୮ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଥିବା ବେଳେ ୩୨ଟି ମୃତଦେହ ଉଦ୍ଧାର କରିଛନ୍ତି। ତେବେ ଏବେ ବି ୧୨ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇରହିଥିବା ଆଶଙ୍କା କରାଯାଉଛି।