ତରତରିଆ ଭାବେ ବିଲ୍ ପାସ ଉଦ୍ୟମକୁ ୧୭ ଦଳ ପକ୍ଷରୁ ବିରୋଧ

ନୂଆଦିଲ୍ଲୀ: ବିସ୍ତୃତ ଆଲୋଚନା ଏବଂ ସମୀକ୍ଷା ନ କରି ତରତରିଆ ଭାବେ ରାଜ୍ୟସଭାରେ ବିଲ୍‌ଗୁଡ଼ିକ ପାସ୍‌ ହୋଇଯାଉଥିବାରୁ ଏହାକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଛନ୍ତି। ଏଥିପାଇଁ ଆଜି ୧୭ଟି ବିରୋଧୀ ଦଳ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କୁ ଚିଠି ଲେଖି ଏ ସମ୍ପର୍କରେ ବିଚାର କରିବାକୁ ଦାବି କରିଛନ୍ତି। ତରତରିଆ ଭାବେ ବିଲ୍‌ ପାସ୍‌ ହେବା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ମଧ୍ୟ ସେମାନେ କହିଛନ୍ତି।

ଏହି ଚିଠିରେ କଂଗ୍ରେସ, ଟିଏମସି, ବିଏସ୍‌ପି, ଆରଜେଡି, ଟିଡିପି, ସିପିଆଇ ଓ ସିପିଏମ୍‌ ଭଳି ଦଳର ନେତାମାନେ ଦସ୍ତଖତ କରିଛନ୍ତି। ସେମାନେ କହିଛନ୍ତି ଯେ, “ସରକାରୀ ଦଳ ତରବରିଆ ଭାବେ ବିଲ୍‌ଗୁଡ଼ିକ ପାସ୍‌ କରିନେବାକୁ ଉଦ୍ୟମ କରୁଛନ୍ତି। ବିଲ୍‌ ଗୁଡ଼ିକର ସମୀକ୍ଷା ସିଲେକ୍ଟ କମିଟି କିମ୍ବା ପାର୍ଲାମେଣ୍ଟର ଷ୍ଟାଣ୍ଡିଂ କମିଟି ପାଖକୁ ମଧ୍ୟ ପଠାଯାଉ ନାହିଁ। ସଂସଦ ପାଇଁ ଏଭଳି ଅଭ୍ୟାସ ଆଦୌ ଠିକ୍‌ ନୁହେଁ। ତେଣୁ ଶାସକ ଦଳର ଏଭଳି ଉଦ୍ୟମ ଉପରେ ରୋକ ଲାଗିବା ଦରକାର।

୧୪ତମ ଲୋକସଭା ଅଧିବେଶନରେ ୬୦% ବିଲ୍‌ ସମୀକ୍ଷା ପାଇଁ ସଂସଦୀୟ କମିଟି ପାଖକୁ ଯାଉଥିଲା। ୧୫ତମ ଲୋକସଭାରେ ୭୨% ବିଲ୍‌ ସମୀକ୍ଷା ପାଇଁ ପଠାଯାଇଥିଲା। କିନ୍ତୁ ୧୬ତମ ଲୋକସଭା ଅଧିବେଶନରେ ମାତ୍ର ୨୬% ବିଲ୍‌ ସମୀକ୍ଷା ପାଇଁ ଯାଇଛି। ସେହିପରି ୧୭ତମ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ହିଁ ୧୪ଟି ବିଲ୍‌ ପାସ୍‌ ହୋଇଗଲାଣି। ଏହା ମଧ୍ୟରୁ କୌଣସି ବିଲ୍‌ ଷ୍ଟାଣ୍ଡିଂ କମିଟି କିମ୍ବା ସେଲେକ୍ଟ କମିଟି ପାଖକୁ ଯାଇନାହିଁ। ତେଣୁ ରାଜ୍ୟସଭା ଅଧ୍ୟକ୍ଷ ଏଥିରେ ହସ୍ତକ୍ଷେପ କରିବା ଦରକାର।”