ସ୍କୁଲ ଘରେ ୧୫ ଲକ୍ଷ ଟଙ୍କାର ମଦ: ବିହାରରେ ବନ୍ଦ ଏମିତି

ପାଟନା: ବିହାରରେ ନୀତୀଶ ସରକାର ମଦ ବନ୍ଦ କରିଛନ୍ତି। ତେବେ କଟକଣା ସତ୍ତ୍ୱେ କେମିତି ଏଠି ବେଧଡ଼କ ମଦ କାରବାର ହେଉଛି ତା’ର ପ୍ରମାଣ ସାମ୍ନାକୁ ଆସିଛି। ଉତ୍ତର ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ନର୍ତ୍ତକୀଗଞ୍ଜ ଅଞ୍ଚଳର  ଏକ ସ୍କୁଲରୁ ବ୍ୟାପକ ପରିମାଣରେ ମଦ ଜବତ କରାଯାଇଛି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ୨୪୯ଟି କାର୍ଟୁନରେ ଜବତ ହୋଇଥିବା ମଦର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଓଭିଏସ ଇଣ୍ଟରନ୍ୟାଶନାଲ ସ୍କୁଲରୁ ଜବତ ହୋଇଥିବା ଏହି ବିଦେଶୀ ମଦ ବେଆଇନ ବୋଲି ସ୍ଥାନୀୟ ପୋଲିସ କହିଛି । ମଦ ମାଫିଆମାନେ ଏହି ସ୍କୁଲରେ ମଦ ଷ୍ଟକ ରଖି ବାହାରକୁ ଚାଲାଣ କରୁଥିଲେ। ଖବର ପାଇ ପୋଲିସ ଚଢାଉ କରିବା ପରେ ଘଟଣା ପଦାକୁ ଆସିଛି।