ନଦୀ ଜଳ ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ ବିଲ୍‌ ଲୋକସଭାରେ ପାସ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟ ମଧ୍ୟରେ ନଦୀ ଜଳ ବଣ୍ଟନକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ନିମନ୍ତେ କେନ୍ଦ୍ର ସରକାର ଏକକ ଟ୍ରିବ୍ୟୁନାଲ ଗଠନ ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲେ, ଆଜି ସେଦିଗରେ ଆଉ ପାଦେ ଆଗେଇଛନ୍ତି। ଅନ୍ତଃରାଜ୍ୟ ନଦୀ ଜଳ ବିବାଦ(ସଂଶୋଧନ) ବିଲ୍ ଆଜି ଲୋକସଭାରେ ପାରିତ ହୋଇଛି। ଏହି ବିଲ୍‌ ଅନୁଯାୟୀ, ନଦୀ ଜଳ ବଣ୍ଟନ ସମସ୍ୟାର ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ ଗଠନ କରାଯିବ। ଏଥିସହ ଧାର୍ଯ୍ୟ ସମୟସୀମା ମଧ୍ୟରେ ବିବାଦର ସମାଧାନ କରାଯିବ।

ଆଜି ଭଏସ୍‌ ଭୋଟ ଜରିଆରେ ଏହି ବିଲ୍‌ ଲୋକସଭାରେ ପାରିତ ହୋଇଛି। ଆଜି ଗୃହରେ ବିଲ୍ ଉପସ୍ଥାପନ କରି କେନ୍ଦ୍ର ଜଲଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି , “ଏବେ ବିଭିନ୍ନ ରାଜ୍ୟ ମଧ୍ୟରେ ନଦୀ ଜଳ ବଣ୍ଟନକୁ ନେଇ ବିବାଦ ଦେଖାଦେଉଛି। ଏହାର ସମାଧାନ ପାଇଁ ବିଭିନ୍ନ ଟ୍ରିବ୍ୟୁନାଲ ଗଠନ ହୋଇଥିଲେ ହେଁ ଏହା ଧାର୍ଯ୍ୟ ସମୟ ସୀମା ମଧ୍ୟରେ ନିଷ୍ପତ୍ତି ନେଇପାରୁନାହିଁ।

ତେଣୁ ଏଥିରେ ପରିବର୍ତ୍ତନ ଆବଶ୍ୟକ। ସ୍ଥିତି ଏମିତି ହୋଇଯାଇଛି ଯେ ୩୩ ବର୍ଷ ହେଲାଣି ଟ୍ରିବ୍ୟୁନାଲରେ ମାମଲା ପଡ଼ିଥିଲେ ହେଁ ଏହାର ସମାଧାନ ହୋଇପାରୁନାହିଁ। ଏବେ ବିଭିନ୍ନ ନଦୀର ଜଳ ସଂକ୍ରାନ୍ତ ସମସ୍ତ ତଥ୍ୟ ସାର୍ବଜନୀନ କରାଯିବ।”

ଏହି ସମୟରେ ତାମିଲନାଡୁ ଏବଂ କର୍ଣ୍ଣାଟକା ମଧ୍ୟରେ କାବେରୀ ନଦୀକୁ ନେଇ ଚାଲିଥିବା ବିବାଦ ପ୍ରସଙ୍ଗ ମଧ୍ୟ ଉଠିଥିଲା। ଦୁଇ ରାଜ୍ୟର ସାଂସଦମାନେ ପରସ୍ପର ଉପରେ ବର୍ଷିଥିଲେ। ଏଥିରେ ବାଚସ୍ପତି ଓମ ବିର୍ଲା ହସ୍ତକ୍ଷେପ କରି କହିଥିଲେ, “ସଂସଦରେ ଏମିତି ହେବା ଅନୁଚିତ। ଏହା କର୍ଣ୍ଣାଟକା କିମ୍ବା ତାମିଲନାଡୁର ବିଧାନସଭା ନୁହେଁ। ”

କଂଗ୍ରେସ ଓ ତୃଣମୂଳ କଂଗ୍ରେସ ଏହି ବିଲ୍‌କୁ ବିରୋଧ କରିଥିଲେ। ସେମାନେ କହିଥିଲେ, ଏକକ ଟ୍ରିବ୍ୟୁନାଲ ଗଠନ ବେଳେ ରାଜ୍ୟମାନଙ୍କ ସହ ଆଲୋଚନା କରିବାର କୌଣସି ବ୍ୟବସ୍ଥା ଏଥିରେ ନାହିଁ। ତେଣୁ ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ଏହା ଅପମାନ।

ତେବେ ଦୀର୍ଘ ବର୍ଷ ହେଲା ଚାଲି ଆସୁଥିବା ନଦୀ ଜଳ ବିବାଦର ସମାଧାନ ପାଇଁ ଏହା ଏକ ସ୍ଥାୟୀ ବ୍ୟବସ୍ଥା। ତେଣୁ ଏହାକୁ ସମସ୍ତେ ସମର୍ଥନ କରିବା ଦରକାର ବୋଲି ମନ୍ତ୍ରୀ ଶେଖାୱତ କହିଥିଲେ। ଏହାପରେ ବାଚସ୍ପତି ଭଏସ ଭୋଟ କରିବାକୁ କହିଥିଲେ। ଶେଷରେ ବିଲ୍‌ଟି ପାରିତ ହୋଇଛି। ଏବେ ଏହା ରାଜ୍ୟସଭାକୁ ଅନୁମୋଦନ ପାଇଁ ଯିବ।