‘ଭଗବାନ ଶ୍ରୀରାମ ଥିଲେ ଦକ୍ଷ ଇଞ୍ଜିନିୟର, ଇସ୍ରୋର ମିସାଇଲ୍ ପରି ଥିଲା ତାଙ୍କ ତୀର’

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ

ଅହମ୍ମଦାବାଦ: ହିନ୍ଦୁଧର୍ମର ଆରାଧ୍ୟ ଦେବତା ଭଗବାନ ଶ୍ରୀରାମ ଜଣେ ଦକ୍ଷ ଇଞ୍ଜିନିୟର ଥିଲେ। ତାଙ୍କ ଧନୁର ତୀର ଥିଲା ଇସ୍ରୋର ମିସାଇଲ୍‌ ପରି। ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏହି କଥା କହିଛନ୍ତି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ ଟେକ୍‌ନୋଲୋଜି ଏଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ୍‌ (ଆଇଆଇଟିଆର୍‌ଏଏମ୍‌)ର ଦୀକ୍ଷାନ୍ତ ସମାରୋହରେ ସେ ଇଞ୍ଜିନିୟରି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଏ କଥା କହିଥିଲେ।

ସେ କହିଥିଲେ,“ଭଗବାନ ଶ୍ରୀରାମ ଭାରତ ଓ ଶ୍ରୀଲଙ୍କାକୁ ଯୋଡ଼ିବା ପାଇଁ ପୋଲ ନିର୍ମାଣ କରିଥିଲେ। ଆଜି ବି ଲୋକେ କୁହନ୍ତି ରାମ ସେତୁର ଭଗ୍ନାବଶେଷ ସମୁଦ୍ର ଭିତରେ ଅଛି। ରାମ ସେତୁର କଳ୍ପନା ନିଜେ ପ୍ରଭୁ ଶ୍ରୀରାମ କରିଥିଲେ। ତା’ହେଲେ ଭାବନ୍ତୁ ସେ କି ପ୍ରକାରର ଇଞ୍ଜିନିୟର ଥିଲେ? ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ତାଙ୍କର କେତେ ଜ୍ଞାନ ଥିଲା?”

ଆହୁରି ପଢ଼ନ୍ତୁ- ରାମ ସେତୁର ବୟସ କହିଲା ବିଜ୍ଞାନ: ଆସିଲା ପୁରାଣ ଯୁଗର ରୋଚକ ତଥ୍ୟ

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ,“ଅସ୍ତ୍ରଶସ୍ତ୍ର ଓ ଭିତ୍ତିଭୂମି ବ୍ୟତୀତ ସାମାଜିକ ଇଞ୍ଜିନିୟରିଂରେ ବି ଭଗବାନ ଶ୍ରୀରାମ କାମ କରିଥିଲେ। ସେ ସମସ୍ତ ଜାତିକୁ ଏକାଠି କରି ଥିଲେ। ସେ ଜଣେ ଶବର ଜାତିର ମହିଳାଙ୍କ ଠାରୁ ବରକୋଳି ଖାଇଥିଲେ। ଆଦିବାସୀଙ୍କ ବିଶ୍ୱାସ ଜିତି ପାରିଥିଲେ।”

ଏହି ଅବସରରେ ବିଜୟ ରୁପାନୀ ଜାତିର ପିତା ମହାତ୍ମା ଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ବି ଉଠାଇ ଥିଲେ। ସେ କହିଥିଲେ,“ମହାତ୍ମା ଗାନ୍ଧି ଯେଉଁ ରାମରାଜ୍ୟର ସ୍ୱପ୍ନ ଦେଖିଥିଲେ ତାହାକୁ ସାକାର କରିବା ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି।”

ଆହୁରି ପଢ଼ନ୍ତୁ- ନିଜେ ତିଆରି କରିଥିବା ‘ରାମସେତୁ’କୁ କାହିଁକି ଭାଙ୍ଗି ଦେଇଥିଲେ ପ୍ରଭୁ ଶ୍ରୀରାମ?