ରକ୍ତମୁଖା ପାଲଟିଲା ହତାଶିଆ ପ୍ରେମିକ: ନିର୍ବନ୍ଧ ପୂର୍ବ ଦିନ ଘରେ ପଶି ପ୍ରେମିକାଙ୍କୁ ହାଣିଲା

ହାଇଦ୍ରାବାଦ: ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମରେ ବିଫଳ ହେବାରୁ ଯୁବତୀଙ୍କୁ ବିଭତ୍ସ ହତ୍ୟା । ସମ୍ପୃକ୍ତ ଯୁବତୀଙ୍କ ନିର୍ବନ୍ଧ ପୂର୍ବଦିନ ଏହି ଅଭାବନୀକାଣ୍ଡ ଘଟିଛି। ଯୁବତୀ ଜଣକର ଅନ୍ୟତ୍ର ବିବାହ ଠିକ୍‌  ହୋଇଯିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକ ଜଣକ ତାଙ୍କୁ ହତ୍ୟା କରିଛନ୍ତି। ଶନିବାର ତେଲେଙ୍ଗାନାର ୟାଦାଦ୍ରି ଭୋଙ୍ଗିର ଜିଲ୍ଲାର ୟାଦାଗିରିପାଲ୍ଲୀ ଗାଁରେ ଏହି ସ୍ପର୍ଷକାତର ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଶ୍ରୀକାନ୍ତ ନାମକ ଜଣେ ଯୁବକ ଏମ.ଗାୟତ୍ରୀ ନାମ୍ନୀ ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ। ଶ୍ରୀକାନ୍ତ ସ୍ଥାନୀୟ ଏକ ପ୍ଲାଷ୍ଟିକ୍‌ କାରଖାନାରେ କାମ କରନ୍ତି। ଶ୍ରୀକାନ୍ତ ବାରମ୍ବାର ପ୍ରେମ ନିବେଦନ କରିଥିଲେ ମଧ୍ୟ ଯୁବତୀ ଜଣକ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ଏନେଇ ବହୁ ଥର ଯୁବତୀ ଜଣକୁ କଲେଜ ଯିବା ସମୟରେ ଶ୍ରୀକାନ୍ତ ତାଙ୍କୁ ହଇରାଣ କରିଛନ୍ତି। ଯୁବତୀ ଜଣକ ଘର ଲୋକଙ୍କୁ ଏ ବିଷୟରେ ଜଣାଇ ନ ଥିଲେ। କାଳେ ଘର ଲୋକେ ତାଙ୍କ କଲେଜ ଯିବା ବନ୍ଦ କରିଦେବେ ସେହି ଭୟରେ ଯୁବତୀ ଜଣକ ଏକଥା ତାଙ୍କ ଘର ଲୋକଙ୍କୁ କହି ନ ଥିଲେ। ଇତିମଧ୍ୟରେ ଯୁବତୀ ଜଣକର ବିବାହ ଠିକ୍‌ ହୋଇଯାଇଥିଲା। ତେବେ ରବିବାର ଯୁବତୀଙ୍କ ନିର୍ବନ୍ଧ ଥିଲା। ଶନିବାର ଏଥିପାଇଁ ପରିବାର ଲୋକେ ବଜାର ସଉଦା ପାଇଁ ବ୍ୟସ୍ତ ଥିଲା ବେଳେ ଏହି ସୁଯୋଗରେ ଶ୍ରୀକାନ୍ତ ତାଙ୍କ ଘରକୁ ଯାଇ ବାରମ୍ବାର ଏକ ଧାରୁଆ ଅସ୍ତ୍ରରେ ଯୁବତୀଙ୍କୁ ଆକ୍ରମଣ କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ପଡ଼ୋଶୀ ଲୋକ ଆସିବାରୁ ଶ୍ରୀକାନ୍ତ ସେଠାରୁ ଖସିଯାଇ ପୋଲିସ ନିକଟରେ ଆତ୍ମ ସମର୍ପଣ କରି ସବୁ କଥା କହିଥିଲେ। ପରେ ଯୁବତୀଙ୍କୁ ହସପିଟାଲ ନେବା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୌଜନ୍ୟ:ହିନ୍ଦୁସ୍ଥାନ ଟାଇମ୍‌ସ୍‌