ସହବାସ ପାଇଁ କଏଦୀଙ୍କୁ ମିଳିଲା ୨ ସପ୍ତାହ ଛୁଟି

ଚେନ୍ନାଇ: ମାଡ୍ରାସ ହାଇକୋର୍ଟ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀଙ୍କୁ ପ୍ରସବ ପାଇଁ ୨ ସପ୍ତାହ ଛୁଟି ଦେଇଛନ୍ତି। ତିରୁନଲଭେଲି ଜିଲ୍ଲାର କେନ୍ଦ୍ରୀୟ କାରାଗାରରେ ଏହି କଏଦୀ ଜଣକ ଦଣ୍ଡ ଭୋଗୁଥିଲେ। ବୟସ ତାଙ୍କୁ ଏବେ ପାଖାପାଖି ୪୦ ବର୍ଷ। ଏହି ବୟସରେ ପତ୍ନୀଙ୍କୁ ପୁତ୍ରସୁଖ ଦେବାକୁ ତାଙ୍କୁ ଏଭଳି ଛୁଟି ଦିଆଯାଇଛି ବୋଲି ଜଣାପଡିଛି।

ସନ୍ତାନ ଜନ୍ମ କରି ପରିବାର ବଢାଇବା ପାଇଁ କଏଦୀଙ୍କ ପତ୍ନୀ କୋର୍ଟଙ୍କ ପାଖରେ ନିବେଦନ କରିଥିଲେ। ବିଚାରପତି ଏସ୍‌ ବିମଳା ଦେବୀ ଓ ବିଚାରପତି କୃଷ୍ଣ ଭଲ୍ଲିଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ ଏହି ଆବେଦନକୁ ମଞ୍ଜୁରୀ ଦେଇଛନ୍ତି।

ପଲୟମକୋଟଇ କେନ୍ଦ୍ରୀୟ କାରାଗାରର କଏଦୀ ସିଦ୍ଦିକ ଅଲ୍ଲୀଙ୍କ ୩୨ ବର୍ଷିୟା ପତ୍ନୀଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ୨ ସପ୍ତାହ ଛୁଟି ଦେଇଥିବା ଜଣାପଡ଼ିଛି। ପୂର୍ବରୁ ସିଦ୍ଦିକଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ସାମୟିକ ଭାବରେ ଛୁଟି ଦିଆଯାଉ ବୋଲି କୋର୍ଟରେ ଆବେଦନ କରିଥିଲେ। ଖଣ୍ଡପୀଠ କହିଛନ୍ତି, ସମୟ ଆସି ଯାଇଛି ଯେ, ସରକାରଙ୍କୁ ଏକ ସମିତି ଗଠନ କରି କଏଦୀଙ୍କୁ ଜୀବନ ସାଥୀଙ୍କ ସହିତ ସହବାସ ପାଇଁ ମଞ୍ଜୁରୀ ଦେବା ଉପରେ ନିଷ୍ପତ୍ତି ନେବା ଦରକାର।

ଖଣ୍ଡପୀଠ କହିଛନ୍ତି, ଏପରି ହେବା ସମ୍ବନ୍ଧ ଦ୍ୱାରା ପରିବାର ସହିତ ସମ୍ପର୍କ ଜାରି ରହିଥାଏ। ଅପରାଧିକ ପ୍ରବୃତ୍ତି କମ ହେବାକୁ ପ୍ରେରଣା ମିଳିଥାଏ।