ମହା-ନାଟକ ଜାରି: ଶିବସେନା ଆଉଟ୍, ଏନ୍‌ସିପି ଇନ୍

ମୁମ୍ବାଇ: ସୋମବାର ମହାରାଷ୍ଟ୍ର ରାଜନୀତିରେ ଏକାସାଥୀରେ ଅନେକ ମୋଡ଼ ଆସିଛି। ସଂଖ୍ୟା ଅଭାବରୁ ବିଜେପି ସରକାର ଗଠନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଶିବସେନାକୁ ନିମନ୍ତ୍ରଣ କରିଥିଲେ। ତେବେ ଦ୍ୱିତୀୟ ବୃହତ ଦଳ ଶିବସେନା ଏଥିପାଇଁ ୩ ଦିନ ମାଗିବାରୁ ରାଜ୍ୟପାଳ ଏଥିରେ ଅମଙ୍ଗ ହେବା ସହ ସରକାର ଗଠନର ବଲ୍ ଏନ୍‌ସିପି କୋର୍ଟକୁ ଠେଲି ଦେଇଛନ୍ତି। ଏନ୍‌ସିପିର ଅଜିତ ପାୱାର ରାଜ୍ୟପାଳଙ୍କୁ ଭେଟିବା ପରେ ରାଜ୍ୟପାଳ ସରକାର ଗଠନ ପାଇଁ ଆସନ୍ତାକାଲି ରାତି ୮.୩୦ ଯାଏ ଡେଡ୍‌ଲାଇନ୍‌ ନିର୍ଦ୍ଧାରଣ କରିଛନ୍ତି।

ଆଜି ସନ୍ଧ୍ୟା ୫ଟା ପୂର୍ବରୁ ମହାରାଷ୍ଟ୍ର ଡ୍ରାମାର ପ୍ରଥମ ଦୃଶ୍ୟ ଆରମ୍ଭ ହୋଇଥିଲା। ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ୧୦, ଜନପଥ ସ୍ଥିତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବାସଭାବନରେ ପହଞ୍ଚିବା ପରେ ଶିବସେନାକୁ ସମର୍ଥନ ବାବଦରେ ଆଲୋଚନା ହୋଇଥିବା ଖବର ଆସିଥିଲା। ଏହାପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ସୋନିଆ ଗାନ୍ଧି ଫୋନ୍‌ରେ କଥା ହୋଇଥିଲେ। ଏହି ସମୟରେ ଶିବସେନାର ସରକାର ଗଠନ ସମ୍ଭାବନା ଉଜ୍ଜଳ ହେବାରୁ ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକ୍‌ରେ ଓ ଏକନାଥ ସିନ୍ଧେ ରାଜଭବନ ମୁହାଁ ହୋଇଥିଲେ। ଏହାପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ମହାରାଷ୍ଟ୍ରର ବିଧାୟକମାନଙ୍କ ସହ କଥା ହେବାସହ ରାଜଭବନକୁ ସମର୍ଥନ ପତ୍ର ଫ୍ୟାକ୍ସ ଯୋଗେ ପଠାଇଥିବା ଖବର ଆସିଥିଲା। ତେବେ ହଠାତ୍‌ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଥିଲେ ଯେ “ଆମେ ମହାରାଷ୍ଟ୍ର ସରକାର ଗଠନ ସମ୍ପର୍କରେ ଏନ୍‌ସିପି ସହ କଥା ହେବୁ।” ଏହାର ଅର୍ଥ କଂଗ୍ରେସ ଯେ ଶିବସେନା ଓ ଏନ୍‌ସିପି ମେଣ୍ଟକୁ ବାହ୍ୟ ସମର୍ଥନ ଦେବ ବୋଲି ଯେଉଁ କୁହାଯାଉଥିଲା, ତାହା ଭୁଲ ଥିଲା।

ଏହି ଘଟଣା ପୂର୍ବରୁ ଶିବସେନା କଂଗ୍ରେସର ବାହ୍ୟ ସମର୍ଥନ ପାଇ ସରକାର ଗଠନ ପାଇଁ ଆତ୍ମ ବିଶ୍ୱାସ ପାଇବା ପରେ ଏକନାଥ ଓ ଆଦିତ୍ୟ ରାଜଭବନରେ ପହଞ୍ଚିଥିଲେ। କିନ୍ତୁ କଂଗ୍ରେସଠାରୁ ସମର୍ଥନ ପତ୍ର ପାଇଥିଲେ ମଧ୍ୟ ଏନ୍‌ସିପିଠାରୁ ପତ୍ର ମିଳିନଥିବାରୁ ଶିବସେନା ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ୨ରୁ ୩ ଦିନ ଅଧିକ ମାଗିଥିଲା। ଦଳ ପକ୍ଷରୁ ଆଦିତ୍ୟ ରାଜ୍ୟପାଳଙ୍କୁ ଏଥି ନିମନ୍ତେ ଅନୁରୋଧ କରିଥିଲେ। ହେଲେ ରାଜ୍ୟପାଳ ଶିବସେନାର ଏହି କଥାରେ ରାଜି ହୋଇ ନଥିଲେ। ଏହାପରେ ରାଜଭବନ ପକ୍ଷରୁ ତୃତୀୟ ବୃହତ ଦଳ ଭାବେ ୫୪ଟି ଆସନ ଜିତିଥିବା ଏନ୍‌ସିପିକୁ ସନ୍ଧ୍ୟା ୮.୩୦ ସମୟରେ ରାଜ୍ୟପାଳ ବୈଠକ ପାଇଁ ନିମନ୍ତ୍ରଣ କରିଥିଲେ। ଏନସିପିର ବରିଷ୍ଠ ନେତା ଅଜିତ ପାୱାର, ଛଗନ ଭୂଜବଳ, ଜୟନ୍ତ ପାଟିଲ ଏବଂ ଜୟନ୍ତ ମୁଣ୍ଡେ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିଲେ।

ରାଜ୍ୟପାଳଙ୍କୁ ଭେଟିବା ପରେ ଏନ୍‌ସିପି ପକ୍ଷରୁ କୁହାଯାଇଥିଲା, ତୃତୀୟ ବୃହତ ଦଳ ଭାବେ ଆମକୁ ସରକାର ପାଇଁ ନିମନ୍ତ୍ରଣ କରାଯାଇଛି। ଆମେ କଂଗ୍ରେସ ସହ ଆଲୋଚନା କରି କିଭଳି ସ୍ଥାୟୀ ସରକାର ଗଠନ କରାଯାଇ ପାରିବ ତାହା ଚିନ୍ତା କରିବୁ। ବୈଠକରେ ଥିବା ଜୟନ୍ତ ପାଟିଲ କହିଛନ୍ତି, ରାଜ୍ୟପାଳ ଏନ୍‌ସିପିକୁ ଆସନ୍ତାକାଲି ରାତି ୮.୩୦ ଯାଏ ସମୟ ଦେଇଛନ୍ତି।

ଏନେଇ ରାଜ୍ୟପାଳ ମଧ୍ୟ ଏକ ବିବୃତି ଜାରି କରି ଏନ୍‌ସିପିକୁ ସରକାର ଗଠନ ପାଇଁ ସମୟ ଦେଇଥିବା କହିଛନ୍ତି। ତେବେ ଶେଷ ଖବର ସୁଦ୍ଧା ଜଣାପଡ଼ିଛି, କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଆସନ୍ତାକାଲି ଦଳର ଏକ କୋର୍ ଟିମ୍ ବୈଠକ ଅଛି। ଏଥିରେ ମହାରାଷ୍ଟ୍ର ରାଜନୀତିକ ସଙ୍କଟ ନେଇ ଆଲୋଚନା ହେବାର ଅଛି। ଏହାପରେ ମହାରାଷ୍ଟ୍ର ରାଜନୀତିରେ ଯବନିକା ପଡ଼ିବ ବୋଲି କୁହାଯାଉଛି। ଯଦି କୌଣସି ଦଳ ସରକାର ଗଠନ ପାଇଁ ଅମଙ୍ଗ ହୁଅନ୍ତି, ତା’ହେଲେ ରାଜ୍ୟପାଳ ନିଜ ଅଧିକାରର ବ୍ୟବହାର କରି ମହାରାଷ୍ଟ୍ରରରେ ୬ ମାସ ପାଇଁ ରାଷ୍ଟ୍ରପତି ଶାସନ ଜାରି କରିପାରିବେ।

ଏବେ କଂଗ୍ରେସ ପାଖରେ ୪୪ଟି ଆସନ ଥିବାବେଳେ ଏନ୍‌ସିପି ପାଖରେ ୫୪ ଜଣ ବିଧାୟକ ଅଛନ୍ତି। ସେହିଭଳି ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ୨୯ ରହିଛି। ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ କିଛି ଶିବସେନାକୁ ସମର୍ଥନ କରୁଥିବାବେଳେ ଆଉ କିଛି ବିଜେପି ସହ ହାତ ମିଳାଇଛନ୍ତି। ତେଣୁ ଏନ୍‌ସିପି ଓ କଂଗ୍ରେସ ଚାହିଁଲେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ କରିପାରିବେ ନାହିଁ।

ଏଥିପାଇଁ ଶିବସେନାର ସମର୍ଥନ ଏକାନ୍ତ ଜରୁରୀ ହୋଇପଡ଼ିଛି। ତେବେ ଯେଉଁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶିବସେନା ପୁରୁଣା ମେଣ୍ଟ ସହଯୋଗୀ ବିଜେପି ସହ ସରକାର କରିବାକୁ ଅରାଜି ହେଉଛି ତାହା କଂଗ୍ରେସ ଏବଂ ଏନ୍‌ସିପି ପାଇଁ ଛାଡ଼ିବ କି ନା ତା’କୁ ନେଇ ରାଜନୀତିକ ବିଶାରଦ ଅଙ୍କ କଷିବା ଆରମ୍ଭ କରିଛନ୍ତି।