ନଦୀକୁ ଖସିପଡ଼ିଲା ବସ୍‌ : ୪ ମୃତ, ୩୦ରୁ ଊର୍ଦ୍ଧ୍ୱ ନିଖୋଜ

କୋଲକାତା: ଆଜି ସକାଳେ ପଶ୍ଚିମବଙ୍ଗରେ ମୁର୍ଶିଦାବାଦରେ ଏକ ଅଭାବନୀୟ ଘଟଣା ଘଟିଛି।  ଏକ ଯାତ୍ରୀବାହି ବସ ବ୍ରିଜ୍ ଉପରୁ  ନଦୀକୁ ଖସି ୩୦ରୁ ଊର୍ଦ୍ଧ୍ୱ ନିଖୋଜ ଅଛନ୍ତି। ଅଦ୍ୟାବଧି  ୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିବାରକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବସରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହୋଇଥିବା ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ ଏହି ଯାତ୍ରୀବାହି ବସ୍‌ଟି ନାଦିଆ ଜିଲ୍ଲାର କରିମ୍‌ପୁରରୁ  ମୁର୍ଶିଦାବାଦର ବହରାମ୍ପୁରକୁ ଯାଉଥିଲା।  ବ୍ୟାଲି ବ୍ରିଜ୍ ଉପରେ ଗାଡ଼ିର ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ନଦୀକୁ ଖସିପଡ଼ିଥିଲା।  ପ୍ରାଥମିକ ଯାଞ୍ଚ ପରେ ଘନ କୁହୁଡ଼ି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।  ସେପଟେ ଉଦ୍ଧାରକାରୀ ଟିମ୍‌  ବିଳମ୍ବରେ ପହଞ୍ଚିବାରୁ ସେଠାରେ ଉତ୍ତ୍ୟକ୍ତ ଲୋକେ ପୋଲିସ୍ ଭ୍ୟାନ୍, ବସ୍, ଦମକଳ ଗାଡ଼ି ଓ କ୍ରେନ୍ ପ୍ରଭୃତି ଭଙ୍ଗାରୁଜା କରିଛନ୍ତି।  ରାଜ୍ୟ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।