ମୁଣ୍ଡ ନୁଆଁଇଲେ ମମତା! ଆହତ ଡାକ୍ତରଙ୍କୁ ଭେଟିବେ କିନ୍ତୁ…

କୋଲକାତା: ପଶ୍ଚିମବଙ୍ଗର ଆନ୍ଦୋଳନରତ ଡାକ୍ତର ଜିଦରେ ଅଟଳ ରହିବା ପରେ ମୁଣ୍ଡ ନୁଆଁଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସେ ମୃତ ରୋଗୀଙ୍କ ସମ୍ପର୍କୀୟଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ଭେଟିବେ ବୋଲି ସୂଚନା ରହିଛି। ଜଣେ ରୋଗୀର ମୃତ୍ୟୁ ହେବା ପରେ ଏନଆରଏସ ମେଡିକାଲ କଲେଜର ଜୁନିୟର ଡାକ୍ତର ପରିବହ ମୁଖୋପାଧ୍ୟାୟ ଆକ୍ରମଣର ଶିକାର ହୋଇଥିଲେ। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ପରିବହଙ୍କ ସହିତ ୟଶ ଟେକଓ୍ୱାନୀ ନାମକ ଡାକ୍ତର ମଧ୍ୟ ଆହତ ହୋଇଥିବା ସୂଚନା ରହିଛି।

ମମତା ପରିବାଗଙ୍କୁ ଭେଟିବା ପାଇଁ ରାଜି ହୋଇଥିବା ବେଳେ ମେଡିକାଲ କଲେଜରେ ଆନ୍ଦୋଳନରେ ବସିଥିବା ଡାକ୍ତରଙ୍କ ସହ ଆଲୋଚନା କରିବେ କି ନାହିଁ ସେ ନେଇ ସୂଚନା ମିଳିପାରି ନାହିଁ। ପ୍ରଥମେ କିନ୍ତୁ ଏନଆରଏସ ମେଡିକାଲ କଲେଜ ନଆସି ଡାକ୍ତରଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଚିବାଳୟକୁ  ଡାକିଥିଲେ। ହେଲେ ଏହି ପ୍ରସ୍ତାବକୁ ଡାକ୍ତରମାନେ ଆଜି ଖାରଜ କରି ଦେଇଥିଲେ। ଗତକାଲି ସଂଧ୍ୟାରେ ମଧ୍ୟ ଡାକ୍ତରଙ୍କୁ ଆଲୋଚନା ପାଇଁ ଡାକିଥିଲେ ମମତା। ହେଲେ ଏହି ଉଦ୍ୟମ ସଫଳ ହୋଇନଥିଲା।

ଆନ୍ଦୋଳନରତ ଡାକ୍ତର ଦାବି କରିଥିଲେ ଯେ ତାଙ୍କ ଦ୍ୱାରା ଦିଆଯାଇଥିବା ୬ଟି ପ୍ରସ୍ତାବ ପୂରଣ କରିବା ସଙ୍ଗେସଙ୍ଗେ ଏନଆରଏସ କଲେଜକୁ ଆସି ମମତା ବାନାର୍ଜୀ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିବା ଦରକାର। ହେଲେ ଏବେ ମମତା କ୍ଷମା ମାଗିବେ କି ନାହିଁ ସ୍ପଷ୍ଟ ହୋଇନାହିଁ। ତେବେ ଏହାରି ଭିତରେ ଆନ୍ଦୋଳନରେ ସାମିଲ ନଥିବା ଡାକ୍ତରଙ୍କୁ ନେଇ ମମତା ବାନାର୍ଜୀ ଏକ ବୈଠକ କରିଛନ୍ତି।

ଗୁରୁବାର ଦିନ ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ମମତା ବାନାର୍ଜୀ କହିଥିଲେ, “ମୁଁ ଡାକ୍ତରଙ୍କ ଆନ୍ଦୋଳନକୁ ନିନ୍ଦା କରୁଛି। ପୁଲିସମାନେ ଡ୍ୟୁଟିରେ ଥିବା ବେଳେ ସହିଦ ହୋଇଯାଉଛନ୍ତି, ହେଲେ ଆନ୍ଦୋଳନ କରୁନାହାନ୍ତି।” ତେଣୁ ଶୁକ୍ରବାର ଅପରାହ୍ନ ୨ଟା ସୁଦ୍ଧା ଶୀଘ୍ର କାର୍ଯ୍ୟରେ ଯୋଗଦେବା ପାଇଁ ଚେତାବନୀ ଦେଇଥିଲେ। ସେ ଏହି ଆନ୍ଦୋଳନ ପଛରେ ବିଜେପି ଓ ସିପିଏମର ଭୂମିକା ଥିବା ଅଭିଯୋଗ କରିଥିଲେ।

ମମତାଙ୍କ ଏପରି ମନ୍ତବ୍ୟକୁ ବିରୋଧ କରି ଏବେ ପଶ୍ଚିମବଙ୍ଗ ଡାକ୍ତରଙ୍କ ସମେତ ବିଭିନ୍ନ ରାଜ୍ୟର ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି। ସୋମବାର ଦିନ ସାରା ଦେଶରେ ଡାକ୍ତରମାନେ ମମତାଙ୍କ ଏହି ମନ୍ତବ୍ୟକୁ ବିରୋଧ କରି ଧାରଣା ଦେବେ ବୋଲି ଜଣାପଡ଼ିଛି।

ଆଜି ଇଣ୍ଡିଆନ ମେଡିକାଲ ଆସୋସିଏସନର ପ୍ରତିନିଧି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଦନଙ୍କୁ ଭେଟି ଆନ୍ଦୋଳନ ବାବଦରେ ଅବଗତ କରାଇଛନ୍ତି। ସୋମବାର ସୁଦ୍ଧା ଏହି ଟିମ୍ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଅବଗତ କରାଇବା ସହ ଡାକ୍ତରଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଏକ ଆଇନ ଆଣୁ ବୋଲି ନିବେଦନ କରିବେ। ଗତକାଲି ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ନିବେଦନ କରିଛନ୍ତି ଏବଂ ଡାକ୍ତରଙ୍କୁ ସୁରକ୍ଷା ଦେବା ବଦଳରେ ମୁଖ୍ୟମନ୍ତ୍ରୀ ମମତାଙ୍କ ଧମକକୁ ନିନ୍ଦା କରିଛନ୍ତି। ଏଭଳି ସମୟରେ ଏହାକୁ ‘ସମ୍ମାନର ପ୍ରସଙ୍ଗ’ ନ କରିବାକୁ ମମତାଙ୍କୁ ଆହ୍ୱାନ କରିଛନ୍ତି ହର୍ଷବର୍ଦ୍ଧନ।