ବିଜେପି ଉପରେ ରାଗ ସୁଝାଉଛନ୍ତି ଦିଦି ? ସଭା ପାଇଁ କୋଲକାତାରେ ଜାଗା ମିଳୁନି

କୋଲକାତା(ଓଡିଶାରିପୋର୍ଟର): ବିଜେପି ସହ ଦିଦିଙ୍କର ପୁଣି ତୁତୁ ମେଁମେଁ।  ପଦ୍ମଦଳିଆ ଦିଦିଙ୍କ ନାଁରେ ପୁଣିଏକ ଅଭିଯୋଗ ଆଣିଛନ୍ତି। ପ୍ରଥମେ ମୋହନ ଭାଗବତଙ୍କ ସଭା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାଗା ଦେଇନଥିବା ଅଭିଯୋଗ ଆସିଥିଲା। ଏବେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ କାର୍ଯ୍ୟକ୍ରମକୁ ନେଇ ପୁଣି ସେମିତି ଅଭିଯୋଗ ଆଣିଛି ବିଜେପି। ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଅଧକ୍ଷ ଅମିତ୍ ଶାହଙ୍କ କାର୍ଯ୍ୟକ୍ରମ ପାଇଁ ଜାଣିଶୁଣି କୋଲକାତାରେ ଜାଗା ଦେଉନାହାଁନ୍ତି। ବିଜେପି ଏହି କାର୍ଯ୍ୟକ୍ରମ ପାଇଁ କୋଲକାତାର ଏକାଧିକ ଜାଗାର ଏକ ତାଲିକା ସହ ଆବେଦନ କରିଥିଲା , ହେଲେ କୌଣସି ବି ସ୍ଥାନ ସରକାର ଦେଇ ନାହାଁନ୍ତି। ଜାଗା ନମିଳିବାର କାରଣ ବି କେହି ଜାଣି ନାହାଁନ୍ତି। ଏହା ପୂର୍ବରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ମୁଖ୍ୟ ମୋହନ ଭାଗବତଙ୍କ କାର୍ଯ୍ୟକ୍ରମ ପାଇଁ ମଧ୍ୟ ପଶ୍ଚିମବଙ୍ଗ ସରକାର ଅଡିଟୋରିୟମ ଦେଇନଥିଲେ।

ବିଜେପି ଅଧକ୍ଷ ଅମିତ୍ ଶାହ ସେପ୍ଟେମ୍ବର 11ରୁ 13 ତାରିଖ ଯାଏଁ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ତେବେ ସେପ୍ଟେମ୍ବର 12ରେ ତାଙ୍କ କାର୍ଯ୍ୟକ୍ରମ ପାଇଁ କୋଲାକାତାସ୍ଥିତ ନେତାଜୀ ଇଣ୍ଡୋର ଷ୍ଟାଡିୟମ୍ ବୁକ୍ ହୋଇଥିଲା, ହେଲେ ସରକାର ଏଥିପାଇଁ ଅନୁମତି ଦେଇନଥିଲେ। କାରଣ ଦର୍ଶାଇଛନ୍ତି ଯେ, ସେଠାରେ କିଛି କାମ ଚାଲିଛି, ତେଣୁ ଦେଇ ହେବନି।

ବିଜେପି ନେତ୍ରୀ ରୂପା ଗାଙ୍ଗୁଲୀ ରାଜ୍ୟ ସରକାର ଉପରେ ଅଭିଯୋଗ କରିଛନ୍ତି ଯେ, ମମତା ସରକାର ସବୁ ମାମଲାରେ ରାଜନୀତି କରୁଛନ୍ତି। ମମତା କଂଗ୍ରେସ ଓ ବାମଦଳ ଉପରେ କୌଣସି ପ୍ରତିବନ୍ଧକ ଲଗାଉ ନାହାଁନ୍ତି। ହେଲେ ବିଜେପି ଉପରେ ଲଗାତାର ରାଗ ସୁଝାଇଛନ୍ତି।

ଏହା ପୂର୍ବରୁ ମୋହନ ଭାଗବତଙ୍କ କାର୍ଯ୍ୟକ୍ରମର ସ୍ଥାନକୁ ନେଇ କଥା ଅଟକି ରହିଛି। ଆସନ୍ତା ଅକ୍ଟୋବର 3ରେ କୋଲକାତାର ପ୍ରସିଦ୍ଧ ସରକାରୀ ପୂଜାଗୃହ ବା ସଭାଗାର ମହାଜତି ସଦନରେ ଏକ କାର୍ଯ୍ୟକ୍ରମ ହେବାର ଥିଲା। ସେଥିରେ ମୋହନ ଭାଗବତ ଭାଷଣ ଦେଇଥାନ୍ତେ। ହେଲେ ଅଧିକାରୀମାନେ ଏହାର ବୁକିଂ କ୍ୟାନସଲ୍ କରିଦେଇଥିଲେ। ପଶ୍ଚିମବଙ୍ଗର ଗଭର୍ଣ୍ଣର କେଶରୀ ନାଥ ତ୍ରିପାଠୀ ମଧ୍ୟ ଏଥିରେ ସାମିଲ ହୋଇଥାନ୍ତେ। ଭାଷଣର ବିଷୟ ଥିଲା ‘ଭାରତୀୟ ରାଷ୍ଟ୍ରବାଦୀ ଆନ୍ଦୋଳନରେ ସିଷ୍ଟର ନିବେଦିତାଙ୍କର ଭୂମିକା’। ହଲେ ଅନୁମତି ନମିଳିବାରୁ ଆୟୋଜକ ଏବେ ଅନ୍ୟ ଜାଗାର ସନ୍ଧାନ କରୁଛନ୍ତି।