ବନ୍ଧୁପତ୍ନୀଙ୍କ ପ୍ରେମରେ ପଡ଼ିଯାଇଥିଲେ, ବାହା ହେବାକୁ ବନ୍ଧୁଙ୍କୁ ମାରି ଦେଲେ

ନୂଆଦିଲ୍ଲୀ: ବନ୍ଧୁପତ୍ନୀଙ୍କ ପ୍ରେମରେ ପଡ଼ି ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କୁ ମାରି ଦେଲେ। ଏଭଳି ଏକ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଛି। ତା’ ନାଁ ଗୁଲକେଶ୍‌। ମୃତ ବ୍ୟକ୍ତିଙ୍କ ନାଁ ଦଲବୀର୍‌ (୩୦)।

ସୂଚନା ଅନୁଯାୟୀ, ଗୁଲକେଶ୍ ଓ ଦଲବୀର୍‌ ଭଲ ବନ୍ଧୁ ଥିଲେ। ତେବେ ଦଲବୀର୍‌ଙ୍କ ପତ୍ନୀଙ୍କୁ ଭଲ ପାଇ ବସିଥିଲା ଗୁଲକେଶ୍। ଏମିତି କି ସେ ତାଙ୍କୁ ବାହା ହେବାକୁ ଖୁବ୍ ବ୍ୟଗ୍ର ଥିଲା। ସେଥିପାଇଁ ସେ ଦଲବୀରଙ୍କୁ ହତ୍ୟା କରି ଦେଲେ ବୋଲି ପୁଲିସ୍ ଆଗରେ କହିଛି।

ଜୁନ୍ ୨୪ ତାରିଖରେ ଦଲବୀରଙ୍କୁ ଫୋନ୍ କରି ଜଖିରା ରେଲୱେ ଟ୍ରାକ୍ ନିକଟକୁ ଡାକିଥିଲା ଗୁଲକେଶ୍। ସେଠାରେ ମଉକା ଦେଖି ଏକ ଇଟାରେ ସେ ଦଲବୀର୍‌ଙ୍କ ମୁଣ୍ଡରେ ଶକ୍ତ ଆଘାତ ଦେଇଥିଲା। ଘଟଣାସ୍ଥଳରେ ହିଁ ଦଲବୀର୍‌ଙ୍କ ମୃତ୍ୟୁ ଘଟିଥିଲା। ତା’ପରେ ଅଭିଯୁକ୍ତ ତାଙ୍କ ମୃତଦେହକୁ ରେଳ ଧାରଣା ଉପରେ ଫୋପାଡ଼ି ଦେଇଥିଲେ। ତା’ପରେ ପୁଲିସ୍‌କୁ ଫୋନ୍ କରି କହିଥିଲେ ଯେ, ତାଙ୍କର ଜଣେ ଜଣାଶୁଣା ବ୍ୟକ୍ତି ରେଳ ଧାରଣା ଉପରେ ଅଚେତ ହୋଇ ପଡ଼ିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ପ୍ରାଥମିକ ଅନୁସନ୍ଧାନ ବେଳେ ଗୁଲକେଶ୍ ପୁଲିସ୍‌କୁ ବିଭିନ୍ନ ପ୍ରକାର ମିଛ କଥା କହି ତଦନ୍ତକୁ ଭୁଲ୍ ଦିଗରେ ନେବାକୁ ପ୍ରୟାସ କରିଥିଲା। ତେବେ ତା’ର ସବୁ ପ୍ରୟାସ କାମ କରି ନଥିଲା। ଶେଷରେ ପୁଲିସ୍‌ର ତା’ ଉପରେ ସନ୍ଦେହ ହେଲା। ପଚରାଉଚରା ବେଳେ ସେ ସତ କଥା କହିଥିଲା।

ଗୁଲକେଶ୍ କହିଛି ଯେ, ମୃତ ଦଲବୀରଙ୍କ ସ୍ତ୍ରୀ ପୂଜା (ଛଦ୍ମନାମ) ସହିତ ତା’ର ଅନୈତିକ ସଂପର୍କ ଥିଲା। ସେ ତାଙ୍କୁ ବାହା ହେବାକୁ ଚାହୁଁଥିଲା। କିନ୍ତୁ ପୂଜା ଏଥିରେ ରାଜି ନଥିଲେ। ଯଦିଓ ସେ ବି ତାଙ୍କୁ ପସନ୍ଦ କରୁଥିଲେ। ତାଙ୍କୁ ବାହା ହେବାକୁ ସେ ଦଲବୀରଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା।

ଗୁଲକେଶ୍‌ର ବୟାନ ଆଧାରରେ ପୁଲିସ୍ ଦଲବୀର୍‌ଙ୍କ ପତ୍ନୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛନ୍ତି। ଏ ହତ୍ୟାକାଣ୍ଡରେ ତାଙ୍କର କିଛି ଭୂମିକା ଅଛି କି ନାହିଁ, ସେ ନେଇ ବି ପୁଲିସ୍ ତଦନ୍ତ କରୁଛି।