ସାପକୁ କାମୁଡ଼ି ଖଣ୍ଡଖଣ୍ଡ କରିଦେଲେ

ଏଟାହ (ୟୁପି): ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ଚକିତ ହେଉଥିବେ। ଗୋଟିଏ ବିଷଧର ସାପକୁ କେମିତି ଜଣେ ବ୍ୟକ୍ତି ପାଟିରେ କାମୁଡ଼ି ଖଣ୍ଡଖଣ୍ଡ କଲେ? ଏହା ଫିଲ୍ମର ଏକ ଦୃଶ୍ୟ, ନା ସତରେ ଏମିତି ଘଟଣା ଘଟିଛି?

ଏଭଳି ଘଟଣା ଉତ୍ତର ପ୍ରଦେଶର ଏଟାହରେ ଘଟିଛି। ଜଣେ ମଦ୍ୟପ ବ୍ୟକ୍ତିଙ୍କୁ ଗୋଟିଏ ସାପ କାମୁଡ଼ି ଦେଇଥିଲା। ଏହାପରେ ମଦ୍ୟପ ଜଣଙ୍କ ଏଥିରେ ରାଗି ଯାଇ ସାପକୁ ଆକ୍ରମଣ କରିଥିଲେ। ସେ ସାପଟିକୁ ପାଟିରେ କାମୁଡ଼ି କାମୁଡ଼ି ୩ ଖଣ୍ଡ କରିଦେଇଥିଲେ।

ଗତକାଲି ରାଜ କୁମାର ମଦ ପିଇ ଘରେ ଶୋଇଥିଲେ। ଏହି ସମୟରେ ତାଙ୍କ ରୁମରେ ଲୁଚିଥିବା ଗୋଟିଏ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ସାପଟିକୁ ରାଜ କୁମାର ଠାବ କରିବା ସହ ତାକୁ କାମୁଡ଼ି ଖଣ୍ଡଖଣ୍ଡ କରିଦେଇଥିଲେ। ସାପଟି ମରିଯିବା ପରେ ରାଜ କୁମାର ମଧ୍ୟ ଅଚେତ ହୋଇ ଯାଇଥିଲେ।

ତାଙ୍କୁ ପରିବାର ଲୋକେ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଅଧିକ ଚିକିତ୍ସା ପାଇଁ ରାଜ କୁମାରଙ୍କ ପରିବାର ଲୋକଙ୍କ ପାଖରେ ଆର୍ଥିକ ସମ୍ବଳ ନଥିବା ତାଙ୍କ ବାପା କହିଛନ୍ତି। ଘଟଣା ପରେ ରାଜ କୁମାରଙ୍କ ପରିବାର ଲୋକ ସାପଟିକୁ ପୋତି ଦେଇଥିଲେ।