ମୋବାଇଲ ଖୋଲିଲା ଗୁମର; ବାପା ଗିରଫ

ବେଙ୍ଗାଲୁରୁ: ପିଲାମାନେ ଦୁଷ୍ଟ ହେଲେ ଅବା ମିଛ କହିଲେ ବାପାମା’ ସେମାନଙ୍କୁ ଗାଳି କରନ୍ତି। ବେଳେ ବେଳେ ଦୁଇ ତିନି ଥାପଡ଼ ଲଗାଇ ଦିଅନ୍ତି। କିନ୍ତୁ ବେଙ୍ଗାଲୁରୁର ଜଣେ ୧୦ ବର୍ଷର ବାଳକ କେବେ ବି ଭାବି ନଥିବ ତାର ଗୋଟିଏ ମିଛ ତା ପାଇଁ ଏତେ ମହଙ୍ଗା ପଡ଼ିବ। ତାଙ୍କ ବାପା ତାଙ୍କୁ ନିସ୍ତୁକ ପିଟିଥିଲେ। ମୋବାଇଲ୍ ଚାର୍ଜରରେ ସାତ ଥର ପିଟିବା ପରେ ତାକୁ ଚାପୁଡ଼ା ମାରିଥିଲେ। ତା’ପରେ ସେ ପୁଅର ବେକକୁ ଧରି ଉପରକୁ ଉଠାଇଥିଲେ ଓ ବେଡ୍ ଉପରେ କଚାଡ଼ି ଦେଇଥିଲେ। ସେ ପୁଅକୁ ଦୁଇ ଥର ଏମିତି ଉଠାଇ ବେଡ୍‌ରେ କଚାଡ଼ି ଦେଇଥିଲେ। ହେଲେ ଏତିକିରେ ତାଙ୍କ ରାଗ ଶାନ୍ତ ହୋଇ ନଥିଲା। ତଳେ ପକାଇ ଗୋଇଠା ବି ମାରିଥିଲେ। ଛୁଆଟି ଚିତ୍କାର କରି କାନ୍ଦୁଥିଲେ ବି ତାଙ୍କ ହୃଦୟ ଟିକେ ବି ତରଳି ନଥିଲା। ବାପା ପିଟି ଚାଲିଥିଲା ବେଳେ ମା’ ମୋବାଇଲ୍‌ରେ ଏହାର ଭିଡିଓ ଉଠାଉଥିଲେ।

ମୋବାଇଲ୍ ଧରାଇ ଦେଲା

ଏ ଘଟଣାଟି ଦୁଇ ମାସ ତଳର। ତେବେ ଏବେ ସାମ୍ନାକୁ ଆସିଛି। ଛୁଆଟିର ମା’ଙ୍କ ମୋବାଇଲରୁ ଏହି ଘଟଣା ଲୋକଲୋଚନକୁ ଆସିଛି। ତାଙ୍କ ମା’ ମୋବାଇଲ୍ ସଜାଡ଼ିବାକୁ ଏକ ଦୋକାନରେ ଦେଇଥିଲେ ଏବଂ ଡାଟା ସେଭ୍ କରି ରଖିବାକୁ କହିଥିଲେ। ଡାଟା ସେଭ୍ କଲା ବେଳେ ଦୋକାନୀ ଏହି ଭିଡିଓଟିକୁ ଦେଖିଥିଲେ। ସେ ତୁରନ୍ତ ଏ ସଂପର୍କରେ ଏକ ଏନ୍‌ଜିଓଙ୍କୁ ସୂଚନା ଦେଇଥିଲେ। ଉକ୍ତ ଏନ୍‌ଜିଓ ଏନେଇ ପୋଲିସ୍‌ରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ୍ ପିଲାଟିର ବାପାଙ୍କୁ ଗିରଫ କରିଛି। ଜୁଭେନାଇଲ ଜଷ୍ଟିସ୍ ଆକ୍ଟ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିବା ପୋଲିସ୍ କହିଛି।