ଶେଷରେ ବାଘୁଣୀ ‘ଅଭ୍‌ନୀ’କୁ ମାରି ଦେଲେ; ତା’ ନାଁରେ ଥିଲା ଏମିତି ଅଭିଯୋଗ

ମୁମ୍ବାଇ: ଶେଷରେ ବାଘୁଣୀ ‘ଅଭ୍‌ନୀ’କୁ ମାରି ଦିଆଯାଇଛି। ଗତ ଦୁଇ ବର୍ଷରେ ସେ ୧୩ ଜଣ ଲୋକଙ୍କୁ ମାରିଥିଲା ବୋଲି କୁହାଯାଉଛି।

ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ମହାରାଷ୍ଟ୍ରର ୟଭତମାଲ ଜିଲ୍ଲାର ପାଣ୍ଢରକୱଡ଼ା ବନ କ୍ଷେତ୍ର ଅଞ୍ଚଳରେ ‘ଅଭ୍‌ନୀ’ (ଅଫିସିଆଲ୍ ନାଁ ଟି-୧)କୁ ହତ୍ୟା କରାଯାଇଥିଲା।

ବାଘୁଣୀ ‘ଅଭନୀ’କୁ ଠାବ କରି ମାରିବା ପାଇଁ ପାଖାପାଖି ୨୦୦ ଲୋକଙ୍କର ଏକ ଟିମ୍‌କୁ ନିୟୋଜିତ କରାଯାଇଥିଲା। ଏଥିରେ ହାତୀମାନଙ୍କୁ ମଧ୍ୟ ବ୍ୟବହାର କରାଯାଇଥିଲା। ଅତ୍ୟାଧୁନିକ ଜ୍ଞାନକୌଶଳର ସାହାଯ୍ୟ ମଧ୍ୟ ନିଆଯାଇଥିଲା। ପ୍ରାୟ ତିନି ମାସ ହେଲା ଟିପେଶ୍ୱର ବ୍ୟାଘ୍ର ଅଭୟାରଣ୍ୟରେ ଅଭ୍‌ନୀକୁ ଖୋଜା ଚାଲିଥିଲା।

ବନବିଭାଗ ପକ୍ଷରୁ ହାଇଦ୍ରାବାଦର ସାର୍ପ ସୁଟର୍‌ ନୱାବ ଶାଫଥ ଅଲି ଖାନ୍‌ଙ୍କ ପୁଅ ଅଶଗରଙ୍କର ମଧ୍ୟ ସାହାଯ୍ୟ ନିଆଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଅଶଗରଙ୍କ ଗୁଳିରେ ଅଭ୍‌ନୀର ମୃତ୍ୟୁ ଘଟିଛି।

tigress
image credit- internet

ଅଭ୍‌ନୀର ୧୦ ମାସର ଦୁଇଟି ଛୁଆ ଅଛନ୍ତି।

ଅଭ୍‌ନୀକୁ ମାରିବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବିରୋଧରେ କିଛି ବନ୍ୟଜନ୍ତୁ ପ୍ରେମୀ ଓ ସାମାଜିକ କର୍ମକର୍ତ୍ତା ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମ୍‌କୋର୍ଟ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିଥିଲେ।

ବାଘୁଣୀ ଅଭ୍‌ନୀକୁ ୟଭତମାଲ ଜଙ୍ଗଲରେ ପ୍ରଥମେ ୨୦୧୨ରେ ଠାବ କରାଯାଇଥିଲା। ସେ ଘଞ୍ଚ ଜଙ୍ଗଲ ଭିତରେ ଯେଉଁ ଅଞ୍ଚଳରେ ରହୁଥିଲା ସେଠାରୁ ୧୩ ଜଣ ଲୋକଙ୍କ ମୃତଦେହ ମିଳିଥିଲା। ଡିଏନ୍‌ଏ ଯାଞ୍ଚରୁ ଜଣାପଡ଼ିଥିଲା ଯେ ସେଥିମଧ୍ୟରୁ ୫ ଜଣଙ୍କୁ ସେ ହତ୍ୟା କରିଥିଲା। ସେହି ଜଙ୍ଗଲରେ ତା’ବ୍ୟତୀତ ଏକ ପୁରୁଷ ବାଘ ଅଛି। ମିଳିଥିବା ମୃତଦେହଗୁଡ଼ିକ ମଧ୍ୟରୁ ଗୋଟିକରେ ସେହି ବାଘର ଡିଏନ୍‌ଏ ମିଳିଥିଲା।