ଆଖି ସାମ୍ନାରେ ସ୍ୱାମୀ କଲେ ଆତ୍ମହତ୍ୟା: ହେଲେ କାହିଁକି ବଂଚାଇ ପାରିଲେନି ସ୍ତ୍ରୀ, ପଢ଼ିଲେ ଚମକି ଉଠିବେ

ଗାଜିଆବାଦ୍‌: ସେ ଦୃଶ୍ୟ ଥିଲା ହୃଦୟ ବିଦାରକ। ଆଖି ଆଗରେ ଛଟପଟ ହୋଇ ସ୍ୱାମୀଙ୍କ ମୃତ୍ୟୁ ଘଟୁଥିଲା। ହେଲେ କିଂ କର୍ତ୍ତବ୍ୟ ବିମୁଡ ସ୍ତ୍ରୀ ସବୁ ଦେଖୁଥିଲେ ମଧ୍ୟ ନିଜ ସିନ୍ଦୁରକୁ ବଞ୍ଚାଇ ପାରୁ ନ ଥିଲେ। କାରଣ ତାଙ୍କ ହାତ ବନ୍ଧା ହୋଇଥିଲା। ଆଉ ବାହାରକୁ ଆୱାଜ ନ ଯିବାକୁ ପାଟିରେ ଭରା ଯାଇଥିଲା କପଡ଼ା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହିଳାଙ୍କ ହାତ ଓ ପାଟି ନିଜେ ତାଙ୍କ ସ୍ୱାମୀ ବାନ୍ଧିବା ପରେ ତାଙ୍କ ଆଗରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ। ଏପରି ଅଭାବନୀୟ ଘଟଣା ଘଟିଛି ଗାଜିଆବାଦର କୋଡା ଅଞ୍ଚଳରେ।

ପୋଲିସ ସୂତ୍ରରୁ ଜଣାପଡିଛି, ବିହାରର ରିଜୱାନ ଏବଂ ନାସରିନ ଦୁଇମାସ ପୂର୍ବେ ଘରୁ ଲୁଚି ଗାଜିଆବାଦ ପଳାଇ ଆସ ବିବାହ କରି ରହୁଥିଲେ। ସେଠାରେ ସେମାନେ ଏକ ଘର ଭଡାରେ ନେଇ ରହିବା ସହ ଏକ କମ୍ପାନୀରେ ରିଜୱାନ କାମ କରୁଥିଲେ। ସ୍ଥାୟୀ ଚାକିରି କିଛି ନ ଥିବାରୁ କିଛିଦିନ ହେବ ରିଜୱାନ ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ। ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରେ ସେ କାମରୁ ଫେରି ନାସରିନକୁ କିଛି ଭଲ ଲାଗୁ ନ ଥିବା କହିଥିଲେ। ପ୍ରତି ଉତ୍ତରରେ ସେ ନିଜ ଦେହର ଯତ୍ନ ଠିକରେ ନେଉ ନ ଥିବା ନାସରିନ କହିବା ସହ ଭଲ ଚାକିରି ଖୋଜିବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରିଜୱାନ ଉତ୍ତ୍ୟକ୍ତ ହୋଇ ନାସରିନଙ୍କ ହାତ ପଛକୁ କରି ବାନ୍ଧି ଦେବା ସହ ପାଟିରେ କପଡ଼ା ଭରି ଦେଇ ଫ୍ୟାନ୍‌ରେ ଝୁଲି ପଡିଥିଲେ।

ନାସରିନ କୌଣସି ମତେ ନିଜକୁ ମୁକୁଳାଇ ସାହାଯ୍ୟ ପାଇଁ ପଡ଼ୋଶୀଙ୍କୁ ଡାକ ପକାଇ ଥିଲେ।  ପଡ଼ୋଶୀମାନେ ଆସି ପହଞ୍ଚିବା ବେଳକୁ ରିଜୱାନଙ୍କ ମୃତ୍ୟୁ ଘଟି ସାରିଥିଲା।