ଦୁଇ ବର୍ଷ ଧରି ଭଉଣୀଙ୍କୁ ବନ୍ଦୀ କରି ରଖିଥିଲେ; ୪ ଦିନରେ ଗୋଟିଏ ବ୍ରେଡ୍ ଖାଇବାକୁ ଦେଉଥିଲେ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ଭଉଣୀଙ୍କୁ ଦୁଇ ବର୍ଷ ହେଲା ଘରେ ବନ୍ଦୀ କରି ରଖିବା ସହିତ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି।

ଦିଲ୍ଲୀ ମହିଳା କମିଶନ ସେହି ମହିଳାଙ୍କୁ ଉଦ୍ଧାର କରିଛି। ତାଙ୍କୁ ୫୦ ବର୍ଷ ହୋଇଛି। କିନ୍ତୁ ଦେଖିଲେ ଲାଗୁଛି ତାଙ୍କୁ ୯୦ ବର୍ଷ ହୋଇଛି।

ମହିଳା ଜଣଙ୍କୁ ଠିକ୍‌ରେ ଖାଇବାକୁ ଦିଆଯାଉ ନଥିଲା। ତାଙ୍କୁ ପ୍ରତ୍ୟେକ ୪ ଦିନରେ କେବଳ ଗୋଟିଏ ବ୍ରେଡ୍ ଖାଇବାକୁ ଦିଆଯାଉଥିଲା। ବହୁତ ଖରାପ ପରିବେଶରେ ତାଙ୍କୁ ରଖାଯାଇଥିଲା। ଉଦ୍ଧାର ବେଳେ ତାଙ୍କ ପୋଷାକରୁ ଗନ୍ଧ ବାହାରୁ ଥିଲା।

ଠିକ୍‌ରେ ଖାଇବାକୁ ଦିଆଯାଉ ନଥିବାରୁ ସେ ଖୁବ୍ ଦୁର୍ବଳ ହୋଇପଡ଼ିଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦିଲ୍ଲୀ ମହିଳା କମିଶନ୍‌ର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ୍‌ ଏ ସଂପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ ଏ କେମିତିକା ରାକ୍ଷସ ଭାଇ ଯିଏ ତାଙ୍କ ଭଉଣୀଙ୍କୁ ଜୀବିତ ଅବସ୍ଥାରେ ନର୍କ ଯନ୍ତ୍ରଣା ଦେଉଥିଲେ।

man
ଆଉ ଜଣେ ଭାଇଙ୍କ ସହିତ (image credit- aaj tak)

ସେ ଆହୁରି ଲେଖିଛନ୍ତି, ଦୁଃଖର କଥା କେହି ପଡ଼ୋଶୀ ଏନେଇ ପୁଲିସ୍‌ରେ ଅଭିଯୋଗ କରି ନଥିଲେ।

ଏ ଘଟଣା ବିଷୟରେ ସେତେବେଳେ ଜଣାପଡ଼ିଲା ଯେତେବେଳେ ଏହି ମହିଳାଙ୍କ ଆଉ ଜଣେ ଭାଇ ହେଲ୍‌ପ ଲାଇନ୍ ନମ୍ବର ଯୋଗେ ଦିଲ୍ଲୀ ମହିଳା କମିଶନ୍‌ ଅଫିସ୍‌କୁ ଫୋନ୍ କରି ଜଣାଇଲେ।

ଏହା ପରେ ମଙ୍ଗଳବାର ଦିନ ମହିଳା କମିଶନ୍‌ର ଏକ ଟିମ୍ ସେଠାରେ ପହଞ୍ଚିଥିଲେ। ତେବେ ଉକ୍ତ ମହିଳାଙ୍କ ଭାଇ ଓ ଭାଉଜ ଘରର ଗେଟ୍ ଖୋଲିବାକୁ ମନା କରି ଦେଇଥିଲେ। ତା’ପରେ ପୁଲିସ୍‌ର ସାହାଯ୍ୟ ନିଆଯାଇଥିଲା ଓ ତାଙ୍କୁ ଉଦ୍ଧାର କରାଯାଇଥିଲା।