ବିନା ଦୋଷରେ ୧୬ ବର୍ଷ ଜେଲ୍‌; ୨୮ରେ ପଶିଲେ ୪୪ରେ ବାହାରିଲେ… ପଢ଼ନ୍ତୁ ଏକ ଭିନ୍ନ ମର୍ମସ୍ପର୍ଶୀ କାହାଣୀ

ନୂଆଦିଲ୍ଲୀ: ଗୁଲଜାର୍ ଅହମଦ ୱାନି। ଜମ୍ମୁ ଓ କାଶ୍ମୀରର ବାରମୁଲ୍ଲା ଜିଲ୍ଲାର ବାସିନ୍ଦା। ୨୦୦୧ରେ ତାଙ୍କୁ ଗିରଫ କରାଯାଇଥିଲା। ମୋଟ ୧୧ଟି ବୋମା ବିସ୍ଫୋରଣ ମାମଲାରେ ସେ ଗିରଫ ହୋଇଥିଲେ। ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ଏହି ସବୁ ବିସ୍ଫୋରଣ ହୋଇଥିଲା। ଯେତେବେଳେ ଗୁଲଜାର ଗିରଫ ହୋଇଥିଲେ ତାଙ୍କୁ ୨୮ ବର୍ଷ ହୋଇଥିଲା। ସେତେବେଳେ ସେ ଆରବିକ୍‌ରେ ଗବେଷଣା କରୁଥିଲେ। ତେବେ ଗତ ଶୁକ୍ରବାର ସେ ସବୁ ମାମଲାରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ତାଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି। କିନ୍ତୁ ଏଥିପାଇଁ ଲାଗିଗଲା ୧୬ ବର୍ଷ। ତାଙ୍କର ପୂରା ଯୁବାବସ୍ଥା ଜେଲ୍‌ରେ କଟିଗଲା। ଏବେ ତାଙ୍କୁ ୪୪ ବର୍ଷ। ଯେଉଁ ଅପରାଧ ସେ କରି ନ ଥିଲେ ସେଥିପାଇଁ ଦେବାକୁ ପଡ଼ିଛି ବହୁ ମୂଲ୍ୟ।

ଗିରଫ ହେବା ପରେ ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ତାଙ୍କର ମାମଲାର ବିଚାର ଚାଲି ଥିଲା। କୋର୍ଟ ଗୋଟିଏ ପରେ ଗୋଟିଏ ମାମଲାରେ ତାଙ୍କୁ ଦୋଷମୁକ୍ତ କରିଥିଲେ। ଗତ ଶୁକ୍ରବାର ଶେଷ ମାମଲା- ସାବରମତୀ ଏକ୍ସପ୍ରେସ୍ ଟ୍ରେନ୍‌ ବିସ୍ଫୋରଣରେ ବି ସେ ଦୋଷମୁକ୍ତ ହେଲେ। ଉତ୍ତର ପ୍ରଦେଶରର ବାରବାଙ୍କୀ କୋର୍ଟ ତାଙ୍କୁ ଏହି ମାମଲାରେ କ୍ଲିନ୍‌ଚିଟ୍ ଦେଇଥିଲେ। ଏହା ସହିତ ତାଙ୍କ ବିରୁଦ୍ଧରେ ଆସିଥିବା ସମସ୍ତ ମାମଲରୁ ସେ ଦୋଷମୁକ୍ତ ହୋଇଛନ୍ତି।

ଗତମାସରେ ଗୁଲଜାରଙ୍କ ଓକିଲ ଇରଶଦ ହାନିଫ ସୁପ୍ରିମ୍‌କୋର୍ଟରେ ଜାମିନ ଆବେଦନ କରିଥିଲେ। ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତି ଜେ.ଏସ୍‌ ଖେହରଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଏହି ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହିତ ତୁରନ୍ତ ବିଚାର ପ୍ରକ୍ରିୟା ଶେଷ କରିବାକୁ ତଳ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଯଦି ଏ ମାମଲାର ବିଚାର ତୁରନ୍ତ ଶେଷ ନ ହେବ ତା’ହେଲେ ନଭେମ୍ବର ୧ରେ ଗୁଲଜାରଙ୍କୁ ଜାମିନରେ ଛାଡ଼ି ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ।

ଗୁଲଜାରଙ୍କୁ କ୍ଲିନ୍‌ଚିଟ୍ ମିଳିବା ପରେ ତାଙ୍କ ଓକିଲ କହିଛନ୍ତି,“ସେ ବିନା ଦୋଷରେ ୧୬ ବର୍ଷ ଜେଲ୍‌ରେ ରହିଲେ। କିଏ ତାଙ୍କର ଏହି କ୍ଷତିର ଭରଣା କରିବ? ସରକାର କେମିତି ତାଙ୍କ ପରିବାରର ଏହି କ୍ଷତିକୁ ଭରଣା କରିବେ?”

ସୌଜନ୍ୟ- ଟାଇମ୍ସ ଅଫ୍‌ ଇଣ୍ଡିଆ