ନମାଜ ପରେ ମୁଣ୍ଡରୁ ରୁମାଲ ନ କାଢ଼ି ଅଫିସ୍‌ ଆସିବାରୁ…

ପୁନେ: ନମାଜ ପଢ଼ିବା ପରେ ମୁଣ୍ଡରୁ ରୁମାଲ ନ କାଢ଼ି ଅଫିସ୍‌ ଆସିବାରୁ ଚାକିରିରୁ ବାହାର କରି ଦେଲେ। ମହାରାଷ୍ଟ୍ର ପୁନେରେ ଗୋଟିଏ ମଲ୍ଟି ନ୍ୟାସନାଲ୍ କମ୍ପାନୀ ତାର ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ନମାଜ ପରେ ମୁଣ୍ଡରୁ ରୁମାଲ ନ କାଢ଼ି ଅଫିସ୍‌ ଆସିବାରୁ ଚାକିରିରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଇଞ୍ଜିନିୟରଙ୍କ ନାଁ ଅମନ ଖାନ୍। ସେ ପୁଣେ ସ୍ଥିତ କାନାଡ଼ା କମ୍ପାନୀ ଏକ୍ସପୋରେ ଟେକ୍‌ ଲିଡ଼ର ଭାବେ ଚାକିରି କରୁଥିଲେ। ସେ ଅଭିଯୋଗ କରିଛନ୍ତି ଯେ ସେ ଶୁକ୍ରବାର ଦିନ ନମାଜ ପଢ଼ିବାକୁ ଯାଇଥିଲେ। ତା’ପରେ ସେ ମସଜିଦ୍‌ରୁ ସିଧା ଅଫିସ୍‌ ଆସିଥିଲେ। ତେଣୁ ସେ ମୁଣ୍ଡରୁ ରୁମାଲ କାଢ଼ିବାକୁ ଭୁଲି ଯାଇଥିଲେ ଓ ଅଫିସ୍‌ରେ ପହଞ୍ଚି କାମ କରିବାକୁ ବସିଯାଇଥିଲେ। ପରେ ମ୍ୟାନେଜର କିଶୋର କୋଟେଚା ତାଙ୍କୁ କ୍ୟାବିନକୁ ଡାକିଥିଲେ। ସେଠାରେ ସେ ତାଙ୍କୁ ଧର୍ମ ଓ ରୀତିନୀତିକୁ ନେଇ ଅନେକ କଥା କହିଥିଲେ। ମ୍ୟାନେଜରଙ୍କ ବ୍ୟବହାର ତାଙ୍କୁ ଭଲ ଲାଗିନଥିଲା। ତେଣୁ ଅମନ୍ କମ୍ପାନୀର ଏଚ୍‌ଆରଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ଏଚ୍‌ଆର୍‌ ମ୍ୟାନେଜରଙ୍କ ବିରୁଦ୍ଧରେ କିଛି ପଦକ୍ଷେପ ନ ନେଇ ଓଲଟା ଅମନଙ୍କୁ ହିଁ ଚାକିରିରୁ ବାହାର କରିଦେଲେ।

ଆଉ କୌଣସି ବାଟ ନ ପାଇ ଅମନ, ଶ୍ରମ ବିଭାଗର ଡେପ୍ୟୁଟି କମିଶନର ସହ ମିଶି କମ୍ପାନୀ ବିରୁଦ୍ଧରେ ଧାର୍ମିକ ଓ ମାନସିକ ନିର୍ଯାତନାର ମାମଲା ରୁଜୁ କରିଛନ୍ତି। କମ୍ପାନୀ ଏହି ଅଭିଯୋଗକୁ ଖଣ୍ଡନ କରି କହିଛି ଯେ କମ୍ପାନୀ ଅଫିସ୍‌ରେ କୌଣସି ପ୍ରକାରର ଧାର୍ମିକ ଭେଦଭାବ କରେନାହିଁ। କମ୍ପାନୀ ତାର ସମସ୍ତ କର୍ମଚାରୀଙ୍କୁ ନିଜ ଧର୍ମ ପାଳନ କରିବାର ସ୍ୱାଧୀନତା ଦେଇଛି। ତେବେ ଏ ଘଟଣାକୁ ନେଇ ଶ୍ରମ ବିଭାଗ ସହ କମ୍ପାନୀର ଜୁନ୍‌ ୨୯ ତାରିଖଦିନ ବୈଠକ ବସିବ। କମ୍ପାନୀ ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡ ଦିଆଯିବ ବୋଲି ଲେବର କମିସନର କହିଛନ୍ତି।