ପ୍ରେମିକ ସହ ମିଶି ଭାବି ସ୍ୱାମୀଙ୍କୁ ଜିଅନ୍ତା ଜାଳିଦେଲେ

ହାଇଦ୍ରାବାଦ: କୁହାଯାଏ ପ୍ରେମ ଚିରନ୍ତନ, ଶାଶ୍ୱତ ଓ ସାଗର ପରି ଉଦାର। ହେଲେ ଏହାର ଠିକ୍ ଓଲଟା ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ଏଠାରେ ପ୍ରେମର ସଇତାନ ରୂପ ଦେଖିବାକୁ ମିଳିଛି। ପ୍ରେମରେ ଅନ୍ଧ ହୋଇ ଜଣେ ଯୁବତୀ ଭାବି ସ୍ୱାମୀଙ୍କୁ ନିଜ ପ୍ରେମିକ ସହ ମିଶି ଜିଅନ୍ତା ଜାଳିଦେବା ଘଟଣା ସାମ୍ନାକୁ ଆସିଛି। ଯୁବକ ଜଣକ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

ତେଲେଙ୍ଗାନାର ଜାଙ୍ଗୋନ୍‌ଠାରେ ଅରୁଣା ନାମକ ଜଣେ ୨୦ ବର୍ଷର ଯୁବତୀ ତାଙ୍କ ପ୍ରେମିକ ସହ ମିଶି ଭାବି ସ୍ୱାମୀଙ୍କ ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଛନ୍ତି। ଅରୁଣାଙ୍କ ଘରଲୋକେ ଭି.ଯକେୟା ନାମକ ୨୨ବର୍ଷୀୟ ଯୁବକଙ୍କ ସହ ତାଙ୍କ ବାହାଘର ଠିକ୍ କରି ଦେଇଥଲେ। ଅରୁଣା କିନ୍ତୁ ମନ ଦେଇ ବସିଥିଲେ ବାଲାସ୍ୱାମୀଙ୍କୁ। ଅରୁଣାଙ୍କ ପରିବାର ବାଲାସ୍ୱାମୀ ସହ ତାଙ୍କ ସମ୍ପର୍କକୁ ସ୍ୱୀକାର କରି ନଥିଲେ। ବାଧ୍ୟ ହୋଇ ଅରୁଣା ଘରଲୋକେ ଠିକ୍ କରିଥିବା ଜାଗାରେ ବିବାହ କରିବାକୁ ରାଜି ହୋଇଗଲେ। କିନ୍ତୁ ବଲାସ୍ୱାମୀଙ୍କୁ ସେ ଏତେ ସହଜରେ ଭୁଲି ପାରି ନଥିଲେ। ବାଲାସ୍ୱାମୀଙ୍କ ସହ ତାଙ୍କର ବିବାହ କରିବାର ସବୁ ବାଟ ବନ୍ଦ ହୋଇଯାଇଥିଲା। ତେଣୁ ସେ ନିଜ ପ୍ରେମୀକଙ୍କ ସହ ମିଶି, ଭାବି ସ୍ୱାମୀ ଭି. ଯକେୟାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ବନାଇଥିଲେ।

ସୂଚନା ଅନୁଯାୟୀ ଅରୁଣା ଯକେୟାଙ୍କୁ ଘର ବାହାରେ ଦେଖା କରିବାକୁ ଡାକିଥିଲେ। ଯକେୟା ଯେମିତି ତାଙ୍କ ଘର ସମ୍ମୁଖରେ ପହଞ୍ଚିଲେ, ଅରୁଣା ଓ ବାଲାସ୍ୱାମୀ ମିଶି ତାଙ୍କ ଉପରେ ପେଟ୍ରେଲ ଢାଳି ଦେଲେ। ତା’ପରେ ନିଆଁ ଲଗାଇ ଦେଇଥିଲେ। ପ୍ରଥମେ ଅରୁଣା ସମସ୍ତଙ୍କୁ କହିଥିଲେ ଯେ ଯକେୟା ଆତ୍ମହତ୍ୟା କରିଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜ ଅପରାଧ ସ୍ୱୀକାର କରିଥିଲେ।

ଯକେୟାଙ୍କ ମୃତ୍ୟୁପରେ ତାଙ୍କ ପରିବାର ଲୋକେ ମୃତ ଶରୀରକୁ ଜାତୀୟ ରାଜପଥରେ ରଖି ରାସ୍ତା ଅବରୋଧ କରିଥିଲେ। ସେମାନେ ଅରୁଣା ଓ ତାଙ୍କ ପ୍ରେମୀ ବାଲାସ୍ୱାମୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଥିଲେ। ପୋଲିସ୍ ଘଟଣାର ତଦନ୍ତ କରୁଛି।