ବାହାଘର ପରେ ମିଳିଲାନି ବରର ଜୋତା, ଆଉ ତା’ପରେ…

ଲକ୍ଷ୍ନୌ: ହିନ୍ଦୁ ଧର୍ମରେ ବାହାଘରରେ ବିଭିନ୍ନ ପରମ୍ପରା ଦେଖିବାକୁ ମିଳେ। ତା’ ଭିତରେ ଗୋଟିଏ ନିଆରା ପରମ୍ପରା ହେଉଛି ଜୋତା ଚୋରି। ଭାରି ହସମଜାରେ ଏହି ଜୋତା ଚୋରି କରାଯାଏ। କନିଆର ଉଭଣୀ ଓ ସାଙ୍ଗମାନେ ବରର ଜୋତା ଚୋରି କରନ୍ତି। ବାହାଘର ସରିଲା ପରେ ବର ଯେତେବେଳେ ଜୋତା ଖୋଜେ ସେତେବେଳେ ସେମାନେ ଟଙ୍କା ଦେଲେ ଜୋତା ମିଳିବ ବୋଲି କହନ୍ତି।

ଏହି ନିଆରା ପରମ୍ପରା ବଲିଉଡର ଅନେକ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଛି। ସଲମାନ ଖାନଙ୍କ ଅଭୀନିତ ‘ହମ୍ ଆପକେ ହୈ କୌନ୍’ରେ ଏହି ଜୋତା ଚୋରି ଉପରେ ଏକ ଗୀତ ମଧ୍ୟ ରହିଛି। ଗୀତଟି ହେଉଛି ‘ଜୁତେ ଦୋ ପୈସେ ଲୋ’। ଫିଲ୍ମଟିରେ ଏହି ସିନ୍‌ଟିକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ପୂର୍ବରୁ ଭାତରର କିଛି ସ୍ଥାନରେ ଏହି ପରମ୍ପରା ଥିଲା। କିନ୍ତୁ ଏବେ ପ୍ରାୟ ସବୁଠି ଏହି ପରମ୍ପରା ଦେଖିବାକୁ ମିଳୁଛି। କିନ୍ତୁ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏହି ପରମ୍ପରାର ଏକ ଭୟାନକ ରୂପ।

ଗତ ବୁଧବାର ରାତିରେ ଉତ୍ତରପ୍ରଦେଶର ବଦାୟୁଁ ଅଞ୍ଚଳର ସୁରଜପୁର ଗାଁରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା। ବର ନାଁ ସୁରେନ୍ଦ୍ର। ସେ ବିଲ୍‌ସୀର ଅଧିବାସୀ। ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କୁ ଧରି ସେ ବାହା ହେବାକୁ ସୁରଜପୁର ଆସିଥିଲେ। ସେ ଜୋତା ଖୋଲି ବାହାଘରର ରୀତିନୀତିରେ ସାମିଲ ହୋଇଥିଲେ। ବାହାଘର ସରିବା ପରେ ସେ ତାଙ୍କ ଜୋତା ଖୋଜିଥିଲେ। କିନ୍ତୁ ଜୋତା ମିଳି ନଥିଲା। ଏଥିପାଇଁ ସେ ବହୁତ ରାଗି ଯାଇଥିଲେ। ତାଙ୍କର ସାଙ୍ଗମାନେ ମଧ୍ୟ ଏକଥାକୁ ନେଇ ରାଗି ଯାଇଥିଲେ। ସେଠାରେ ଛିଡ଼ା ହୋଇଥିବା ୪୨ ବର୍ଷୀୟ ରାମସରନଙ୍କ ଉପରେ ସେମାନଙ୍କର ସନ୍ଦେହ ହୋଇଥିଲା। ବର ଓ ତାଙ୍କର ସାଙ୍ଗମାନେ ଜୋତା ଚୋରି ସନ୍ଦେହରେ ରାମସରନଙ୍କୁ ମାଡ଼ ମାରିଥିଲେ। ସେ ଜୋତା ଚୋରି କରି ନାହାଁନ୍ତି ବୋଲି କହିଥିଲେ ସୁଦ୍ଧା କେହି ଶୁଣି ନଥିଲେ। ବାହାଘରରେ ଯୋଗ ଦେଇଥିବା ଅନ୍ୟ ଲୋକେ ବର ଓ ତାଙ୍କ ସାଙ୍ଗମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ତେବେ ସେତେବେଳେକୁ ସେମାନେ ରାମସରନଙ୍କୁ ପିଟିପିଟି ରକ୍ତାକ୍ତ କରି ଦେଇଥିଲେ। ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏ ଘଟଣା ପରେ ବାହାଘରର ଖୁସିମଜା କୁଆଡ଼େ ଉଡ଼ିଗଲା। ମୃତ ରାମସରନଙ୍କ ପତ୍ନୀଙ୍କ ଅଭିଯୋଗ ପୋଲିସ ବର ଓ ତାଙ୍କର ଚାରି ଜଣ ସାଙ୍ଗଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।