ପୁଅର ଜଘନ୍ୟ କାଣ୍ଡ: ବାପାକୁ ମାରି ମୃତଦେହକୁ ଖଣ୍ଡଖଣ୍ଡ କରି ୮ଟି ବାଲଟିରେ ଲୁଚାଇଲା

ସିକନ୍ଦରାବାଦ: ଏଠାରେ ଥିବା ମାଲକାଜିଗରି ଅଞ୍ଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ନିଜ ବାପାକୁ ହତ୍ୟା କରିବା ପରେ ପୁଅ ଜଣଙ୍କ ତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ପକାଇଥିଲା।

ଏହାପରେ ୮ଟି ବାଲଟିରେ କଟା ମାଂସ ଓ ହାଡ଼କୁ ନିଜ ଘର ମଧ୍ୟରେ ହିଁ ଲୁଚାଇ ରଖିଥିଲା। ଏଥିରେ ସହଯୋଗ କରିବାକୁ ଅଭିଯୁକ୍ତ ଯୁବକ ତାଙ୍କ ମା’ ଓ ଭଉଣୀଙ୍କୁ ମଧ୍ୟ ଭୟଭୀତ କରାଇ ସାହାଯ୍ୟ କରିବାକୁ କହିଥିବା ଜଣାପଡ଼ିଛି।

ମୃତକ ଜଣଙ୍କ ହେଲେ ଅବସରପ୍ରାପ୍ତ ରେଳବାଇ ଅଧିକାରୀ ମାରୁତି କ୍ରିଷ୍ଣ। ହତ୍ୟାକାରୀ ପୁଅ ହେଉଛି ୩୯ ବର୍ଷୀୟ କିଷନ। ଘଟଣା ପରେ କିଷନ ଫେରାର ହୋଇଯାଇଛି। ୩୯ ବର୍ଷ ବୟସ ହୋଇଥିଲେ ହେଁ କିଷନ ବିବାହ କରି ନଥିଲା। ତା’ର ଚାକିରି ନଥିବାରୁ ଟଙ୍କା ପାଇଁ ସେ ସର୍ବଦା ବାପା ମାରୁତିଙ୍କ ସହ ଝଗଡ଼ା କରୁଥିଲା।

ଶୁକ୍ରବାର ପ୍ରଥମେ କିଷନ ବାପା ମାରୁତିଙ୍କ ପାଣିରେ କିଛି ବିଷାକ୍ତ ଦ୍ରବ୍ୟ ମିଶାଇ ତାଙ୍କୁ ପିଆଇ ଦେଇଥିଲା। ସେ ପ୍ରାଣ ହରାଇବା ପରେ ତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ପକାଇଥିଲା। ଘରେ ମାରୁତିଙ୍କ ପତ୍ନୀ ଓ ଝିଅ ଥିଲେ ହେଁ ସେମାନେ କିଷନଙ୍କ ଧମକ ଯୋଗୁ କାହାକୁ ଏକଥା କହି ନଥିଲେ।

ତେବେ ଦୁଇ ଦିନ ପରେ ଘର ମଧ୍ୟରୁ ଦୁର୍ଗନ୍ଧ ଆସିବାରୁ ପଡ଼ୋଶୀ ଲୋକ ପୁଲିସ୍‌କୁ ଏ ସମ୍ପର୍କରେ ଖବର ଦେଇଥିଲେ। ପୁଲିସ୍‌ ଘରେ ପଶି ଯାଞ୍ଚ କରିବାରୁ ପୂରା ଘଟଣା ସାମ୍ନାକୁ ଆସିଛି। ଏବେ ପୁଲିସ୍‌ ଫେରାର କିଷନଙ୍କୁ ଖୋଜିବା ଆରମ୍ଭ କରିଛି।