ଗର୍ଭବତୀ ପତ୍ନୀ, ପୁଅ ଏବଂ ବାପା ମା’ଙ୍କୁ ହତ୍ୟା ପରେ ଆତ୍ମହତ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକାର ଚାମରାଜନଗରରୁ ଆସିଛି ଦୋହଲାଇ ଦେବା ଭଳି ଏକ ଦୁଃଖଦ ଖବର। ଜଣେ ବ୍ୟକ୍ତି ତା’ର ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିବା ସହ ପୁଅ, ବାପା ଏବଂ ମା’ଙ୍କୁ ମଧ୍ୟ ହତ୍ୟା କରିଛି। ଶେଷରେ ସେ ନିଜେ ମଧ୍ୟ ଆତ୍ମହତ୍ୟା କରିଛି। ଶୁକ୍ରବାର ଭୋର ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ପୁଲିସ୍‌ କହିଛି ବ୍ୟବସାୟରେ ବଡ଼ କ୍ଷତି କାରଣରୁ ଋଣଗ୍ରସ୍ତ ହୋଇପଡ଼ିବା ପରେ ସେ ଏଭଳି ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଏସ୍‌ପି ଏଚ୍‌ଡି ଆନନ୍ଦ କୁମାର କହିଛନ୍ତି, “ପରିବାର ମୁଖ୍ୟ ଓମ୍‌ ପ୍ରକାଶ ସମସ୍ତଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରିବା ପରେ ବନ୍ଧୁକ ନିଜ ପାଟି ଭିତରେ ରଖି ଗୁଳି କରିଦେଇଛି। ପ୍ରତିରୋଧର କୌଣସି ସୁରାକ ନଥିବାରୁ ଏହା ସମ୍ମତିରେ ହୋଇଥିବା ପରି ମନେ ହେଉଛି। ବର୍ତ୍ତମାନ ତଦନ୍ତ ଜାରି ରହିଛି।”

ମହୀଶୂରର ଏହି ପରିବାର ଗୁରୁବାର ରାତିରେ ବନ୍ଧୁମାନଙ୍କ ସହ ଗୁଣ୍ଡୁଲପେଟ୍‌ ଆସିଥିଲେ। ଭୋର ୩ଟା ସମୟରେ ସେମାନେ ନିକଟସ୍ଥ ଏକ ଚାଷ ଜମିକୁ ଯାଇଥିଲେ। ସେହିଠାରେ ହିଁ ଏଭଳି ଘଟଣା ଘଟିଥିବା କୁହାଯାଉଛି।