ମୋବାଇଲ ପାଇଁ ପିଟିପିଟି ମାରିଦେଲେ

କୋଲକାତା: ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଜଣେ ଦିନ ମଜୁରିଆଙ୍କୁ ମୋବାଇଲ ଚୋରି ଅଭିଯୋଗରେ ସାଥୀ ଶ୍ରମିକମାନେ ପିଟିପିଟି ହତ୍ୟା କରିଛନ୍ତି। ମୃତ ଦୀପକ ମାହାତୋ ଅନ୍ୟ ଶ୍ରମିକଙ୍କ ଭଳି ହୁଗୁଳି ଜିଲ୍ଲାର କାମରାଗୁଣ୍ଡ ଅଞ୍ଚଳରେ କାମ କରୁଥିଲେ। ହେଲେ ଆଜି ସକାଳୁ ସେ ସୁପରଭାଇଜରଙ୍କ ଟେଣ୍ଟରେ ପଶି ଏକ ମୋବାଇଲ୍‌ ଚୋରି କରିଥିବା ଅଭିଯୋଗ ହୋଇଥିଲା।

ମୋବାଇଲ ଚୋରି କରିଥିବା ସନ୍ଦେହରେ ଦୀପକଙ୍କ ସାଥୀ ଶ୍ରମିକମାନେ ତାଙ୍କୁ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ମାଡ଼ ଖାଇବା ପରେ ଦୀପକ ଅଚେତ ହୋଇଯାଇଥିଲେ। ତାଙ୍କୁ ସିଙ୍ଗୁର ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏବେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ, ଦୀପକ ଓ ଅନ୍ୟ ଶ୍ରମିକମାନେ ରେଳ ଧାରଣା ସଂପ୍ରସାରଣ କାର୍ଯ୍ୟରେ ନିୟୋଜିତ ଥିଲେ।