କୁକୁରକୁ କ୍ଷମା ମାଗିଲେନି ବୋଲି ମାରି ଦେଲେ

ନୂଆଦିଲ୍ଲୀ: ସମୟ ରାତି ୧୨ଟା ଅତିକ୍ରମ କରି ସାରିଥିଲା। ବିଜେନ୍ଦ୍ର ରଣା ଆଉ ଦୁଇ ତିନି ମିନିଟ୍ ପରେ ଘରେ ପହଞ୍ଚି ଥାଆନ୍ତେ। କିନ୍ତୁ ଭାଗ୍ୟରେ ଆଉ କିଛି ଲେଖାଥିଲା। ମିନି ଟ୍ରକ୍‌କୁ ସେ ଘର ପାଖରେ ଏକ ଖୋଲା ସ୍ଥାନରେ ପାର୍କ କରିବାକୁ ନେଉଥିଲେ। ଏତିକି ବେଳେ ରାସ୍ତା କଡ଼ରେ ଶୋଇଥିବା ଏକ ପୋଷା କୁକୁର ଦେହରେ ତାଙ୍କ ମିନି ଟ୍ରକ୍ ଟିକେ ଘଷି ହୋଇ ଯାଇଥିଲା। ଏହା ପରେ କୁକୁରଟି ଜୋରରେ ଭୋକି ଥିଲା।

କୁକୁରର ଭୋକିବା ଶବ୍ଦ ଶୁଣି ରାସ୍ତା ଆର ପାଖରେ ଏକ ସ୍କୁଟର ପାଖରେ ଉପସ୍ଥିତ ଥିବା ତାର ମାଲିକ ଅଙ୍କିତ ଓ ପାରସ୍ ଆସି ସେଠାରେ ପହଞ୍ଚି ଯାଇଥିଲେ। ଅଙ୍କିତ୍ ଓ ପାରସ୍‌ ଦୁଇ ଭାଇ। ସେମାନଙ୍କ ସହିତ ଦେବ ଚୋପ୍ରା ନାମକ ଜଣେ ଯୁବକ ମଧ୍ୟ ଥିଲେ। ସେ ସେମାନଙ୍କ ଘରେ ଭଡ଼ାରେ ରହନ୍ତି।

ସାକ୍ଷୀମାନଙ୍କ କହିବା ଅନୁଯାୟୀ, ଏ ତିନି ଜଣ ବିଜେନ୍ଦ୍ରଙ୍କୁ ଗାଡ଼ି ରଖିବାକୁ ବାଧ୍ୟ କରିଥିଲେ। ସେ ଗାଡ଼ି ରଖି ତଳକୁ ଓହ୍ଲାଇବା ପରେ ସେମାନେ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ। ତାଙ୍କ ଚୁଟିକୁ ଟାଣି ଧରିବା ସହିତ କୁକୁରକୁ କ୍ଷମା ମାଗିବାକୁ କହିଥିଲେ। ଏହା ଶୁଣିବା ପରେ ବିଜେନ୍ଦ୍ର ରାଗି ଯାଇଥିଲେ ଓ ତୁମ କୁକୁରକୁ ସମ୍ଭାଳିକି ରଖ ବୋଲି କହିଥିଲେ।

attack2
ହତ୍ୟା ପୂର୍ବର ଦୃଶ୍ୟ ଯାହା ସିସିଟିଭିରେ କଏଦ ହୋଇଛି। (image credit- the times of india)

ଏହା ପରେ ସେ ସେମାନଙ୍କ କବଳରୁ ଖସି ତରତର ହୋଇ ଘରକୁ ପଳାଉଥିବା ବେଳେ ଅଙ୍କିତ ଓ ପାରସ ତାଙ୍କୁ ଘୋଷାଡ଼ି ଆଣି ଥିଲେ। ଫଳରେ ସେମାନଙ୍କ ମଧ୍ୟରେ ମାରପିଟ ଆରମ୍ଭ ହୋଇଯାଇଥିଲା।

ମାରପିଟ ବେଳେ ବିଜେନ୍ଦ୍ରଙ୍କୁ ଛୁରୀ ଓ ସ୍କ୍ରୁ ଡ୍ରାଇଭରରେ ୬ ଥର ଆକ୍ରମଣ କରାଯାଇଥିଲା। ତାଙ୍କ ଘରଠାରୁ ମାତ୍ର ୫୦ ମିଟର ଦୂରରେ ଏ ଘଟଣା ଘଟିଥିଲା।

ବିଜେନ୍ଦ୍ରଙ୍କ ଚିତ୍କାର ଶୁଣି ତାଙ୍କ ବଡ଼ ଭାଇ ରାଜେଶ ରାଣା (୪୫) ସେଠାରେ ପହଞ୍ଚିଥିଲେ। ଅଙ୍କିତ୍ ଓ ପାରସ୍ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ତାଙ୍କ ଶରୀରରେ ତିନିଟି ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ତାଙ୍କର ଚିକିତ୍ସା ଚାଲିଛି।

ଏ ଘଟଣାଟି ଶନିବାର ଦିନ ଦକ୍ଷିଣ ଦିଲ୍ଲୀର ଉତ୍ତମ ନଗର ଅଞ୍ଚଳର ମୋହନ ଗାର୍ଡେନ୍ ନିକଟରେ ଘଟିଛି।

ପୁଲିସ୍ କହିଛି ଯେ ଏ ଘଟଣା ଅଙ୍କିତ୍ ଓ ପାରସ୍ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ସେମାନଙ୍କ ଘରେ ଭଡ଼ାରେ ରହୁଥିବା ଦେବ ଚୋପ୍ରା ବି ଏଥିରେ ସଂପୃକ୍ତ ଅଛନ୍ତି।