ମନରେଗାକୁ ପୂରିଲା ୧୦ ବର୍ଷ

ନୂଆଦିଲ୍ଲୀ: ଆଜି ମନରେଗା ବା ମାହାତ୍ମାଗାନ୍ଧି ଗ୍ରାମୀଣ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନାକୁ ୧୦ ବର୍ଷ ପୂରୁଛି । ୨୦୦୬ ମସିହା ଫେ‍ବୃଆରୀରେ ୟୁପିଏ ସରକାର ଆରମ୍ଭ କରିଥିଲେ ଏହି ଯୋଜନା। ୟୁପିଏ ସରକାର ଫ୍ଲାଗସିପ୍ କାର୍ଯ୍ୟକ୍ରମ ମଧ୍ୟରୁ ଏହା ହେଉଛି ଅନ୍ୟତମ। ଏହି ଯୋଜନା ଅନ୍ତର୍ଗତ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ୧୦୦ ଦିନର ନିଶ୍ଚିତ କର୍ମ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା କରାଯାଇଥିଲା। ଗ୍ରାମୀଣ ଅର୍ଥନୀତିକୁ ସଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଯୋଜନା ହାତକୁ ନିଆଯାଇଥିଲା। ମୋଦି ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ଏହି ଯୋଜନାକୁ  ଚାଲୁ ରଖିଥିଲେ। ଯୋଜନା ଆରମ୍ଭ ହେବା ଠାରୁ ଏବେ ଯାଏଁ ଏ ବାବଦରେ ପ୍ରାୟ ୩ ଲକ୍ଷ ୧୩ ହଜାର ୮୪୪ କୋଟି ଟଙ୍କା ବ୍ୟୟ ହୋଇ ସାରିଛି। ଏଥି ମଧ୍ୟରୁ  କେବଳ ୭୧ ପ୍ରତିଶତ ଶ୍ରମିକମାନଙ୍କ ମଜୁରୀ ପ୍ରଦାନରେ ଖର୍ଚ୍ଚ ହୋଇଛି। ମନରେଗା ଯୋଜନାର ୧୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏଥିରେ ଆଗାମୀ ଦିନମାନଙ୍କରେ ଏହି ଯୋଜନାର କାର୍ଯ୍ୟପ୍ରଣାଳୀକୁ ଆହୁରି ସରଳୀକରଣ ଏବଂ ସଶକ୍ତିକରଣ କରିବା ଉପରେ  ଜୋର ଦିଆଯାଇଛି।