ମନ୍ଦସୌର ଗୁଳିମାଡରେ ୫ ଚାଷୀଙ୍କ ମୃତ୍ୟୁ ଘଟଣା: ବଦଳିଲେ ଏସ୍‌ପି ଓ ଜିଲ୍ଲାପାଳ

ଭୋପାଲ: ମଧ୍ୟପ୍ରଦେଶର ମନ୍ଦସୌରରେ ଗୁଳିମାଡରେ ୫ ଜଣ ବିକ୍ଷୋଭକାରୀ ଚାଷୀଙ୍କ ମୃତ୍ୟୁ ଘଟଣାରେ ସ୍ଥାନୀୟ ଏସ୍‌ପି ଓ.ପି. ତ୍ରିପାଠୀ ଏବଂ ଜିଲ୍ଲାପାଳ ସ୍ୱତନ୍ତ୍ର କୁମାର ସିଂଙ୍କୁ ବଦଳି କରାଯାଇଛି। ଓମ୍ ପ୍ରକାଶ ଶ୍ରୀବାସ୍ତବଙ୍କୁ ନୂଆ ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ହିଂସାକାଣ୍ଡ ସ୍ଥଳକୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଜେଡିୟୁ ନେତା ଶରଦ ଯାଦବ ଗସ୍ତ କରୁଛନ୍ତି। ଏହାକୁ ନେଇ ମଧ୍ୟପ୍ରଦେଶ ସରକାର ଆପତ୍ତି ଉଠାଇଛନ୍ତି। କଂଗ୍ରେସ ଏହି ଘଟଣାକୁ ବଢ଼ାଉଛି ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅଭିଯୋଗ କରିଛନ୍ତି। ଚାଷୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ସେ ନିବେଦନ କରିଛନ୍ତି।

ଗତକାଲି ଗୁଳିମାଡ଼ରେ ପ୍ରାଣ ହରାଇଥିବା ଚାଷୀଙ୍କ ସମ୍ପର୍କୀୟମାନେ ଉତ୍ତ୍ୟକ୍ତ ହୋଇ ମନ୍ଦସୌର ଜିଲ୍ଲାପାଳଙ୍କୁ ଠେଲାପେଲା କରିଥିଲେ। ଉତ୍ତ୍ୟକ୍ତ ଲୋକେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପରକୁ ଟେକା ପଥର ମଧ୍ୟ ମାଡ଼ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ କର୍ଫ୍ୟୁ ଜାରି ହେବା ସହ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି।