ମୋଦି ସରକାରଙ୍କୁ ମନମୋହନ ସିଂହ ଦେଲେ ୫ ଟ୍ରିଲିଅନ୍ ଇକୋନମିର ସୂତ୍ର

ଜୟପୁର: ଦେଶର ଅଭିବୃଦ୍ଧି ହାର ମାନ୍ଦା ରହିଥିବା ବେଳେ କିଭଳି ଏହି ମାନ୍ଦାବସ୍ଥାରୁ ମୁକୁଳି ହେବ ସେ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମୋଦି ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ବିରୋଧୀ କଂଗ୍ରେସ ଦଳର ନେତା ହୋଇଥିଲେ ମଧ୍ୟ ଜୟପୁରର ଏକ ଘରୋଇ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ସରକାରଙ୍କୁ ସେ ନିଜ ଅଭିଜ୍ଞତାର ପରାମର୍ଶ ଦେଇଛନ୍ତି। ରାଜନେତା ସହିତ ଦେଶର ଅଭିଜ୍ଞ ଅର୍ଥବିଶାରଦ ଭାବରେ ଜଣାଶୁଣା ଏହି ନେତା ଉଦାରିକରଣ, ଘରୋଇକରଣ ଏବଂ ଜଗତିକରଣ ନୀତି ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଛନ୍ତି।

ଏବେ ଦେଶର ଅଭିବୃଦ୍ଧି ହାର ଧିମା ପଡ଼ିଛି। ପୁ଼ଞ୍ଜି ନିବେଶ ସ୍ଥିର ରହିଥିବାବେଳେ ଚାଷୀ ସଙ୍କଟରେ ରହିଛନ୍ତି, ବ୍ୟାଙ୍କିଙ୍ଗ ସିଷ୍ଟମ୍ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଏଥିସହ ବେରୋଜଗାର ମଧ୍ୟ ବଢ଼ିଛି। ତେଣୁ ବୁଝି ବିଚାରି ନିଷ୍ପତ୍ତି ନେଲେ ଦେଶ ମାନ୍ଦାବସ୍ଥାରୁ ମୁକୁଳି ପାରିବ। ଏଥିସହ ଦେଶର ଅର୍ଥନୀତିକୁ ୫ ଟ୍ରିଲିଅନରେ ପହଞ୍ଚାଇବା ପାଇଁ ମୋଦି ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ ହୋଇପାରିବ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ୧୯୯୧ରେ ଦେଶର ଅର୍ଥମନ୍ତ୍ରୀ ଥିବା ବେଳେ ମନମୋହନ ସିଂହ ଉଦାରୀକରଣ, ଘରୋଇକରଣ ଏବଂ ଜଗତୀକରଣ ଉପରେ ଗୁରୁତ୍ୱ ଦେଇଥିଲେ। ଯାହାକି ଦେଶର ଅର୍ଥବ୍ୟବସ୍ଥାକୁ ଟ୍ରାକରେ ଆଣିଥିଲା।

ନିକଟରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ଏହି ନେତା କହିଛନ୍ତି ସରକାରକୁ ଟ୍ୟାକ୍ସ ଫାଙ୍କୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବାକୁ ହେବ, ଭିନ୍ନ ବିଚାରଧାରା ବ୍ୟକ୍ତିଙ୍କ ମନ୍ତବ୍ୟକୁ ସମ୍ମାନ ଦେବା ଜରୁରୀ ଏବଂ ସରକାରଙ୍କୁ ସମସ୍ତ କ୍ଷେତ୍ରରେ ସନ୍ତୁଳନ ରଖିବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଦେଶର ଗଣତନ୍ତ୍ରକୁ ମଜବୁତ ରଖିବା ପାଇଁ ଆଗାମୀ ଦିନରେ ଦୂରଦର୍ଶୀ, ସଠିକ୍ ବିଚାରଧାରା କରିପାରୁଥିବା ବ୍ୟକ୍ତି ଆଗାମୀ ଦିନରେ ଦେଶ ପାଇଁ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସେହିପରି କୋର୍ଟ, ନିର୍ବାଚନ ଆୟୋଗ, ସିବିଆଇ, ସିଏଜି, ସୂଚନା ଆୟୋଗ ଭଳି ସଂସ୍ଥା ସମ୍ୱିଧାନର ନିୟମ ଅନୁସାରେ ସ୍ୱତନ୍ତ୍ର କ୍ଷମତା ପାଇଛନ୍ତି ସ୍ୱାଧୀନ ହୋଇ କାମ କରିବା ପାଇଁ। ଲୋକଙ୍କର ଅନେକ ଆଶା ତାଙ୍କ ପାଖରୁ ରହିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସର ଅଭିବୃଦ୍ଧି ହାର ପ୍ରକାଶ ପାଇଥିଲା। ଯାହାକି ୫ ପ୍ରତିଶତ ରହିଛି। ଏହାକୁ ନେଇ କାଠଗଡ଼ାରେ ଏବେ ମୋଦି ସରକାଙ୍କ ଆର୍ଥିକ ନୀତି। ଦେଶର ଏଭଳି ମାନ୍ଦାବସ୍ଥା ମନୁଷ୍ୟକୃତ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ। ମୋଦି ସରକାରଙ୍କ ତାଙ୍କ ପ୍ରଥମ ସରକାରରେ ନେଇଥିବା ଜିଏସଟି, ନୋଟବନ୍ଦୀ ଭଳି ହଠାତ୍ ନିଷ୍ପତ୍ତି ଦେଶର ଅର୍ଥବ୍ୟବସ୍ଥା ଖରାପ ହେବାର କାରଣ ବୋଲି ମନମୋହନ ସିଂହ କହିଥିଲେ।