ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ଦାବି ତେଜିଲା

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଦଳର ପରବର୍ତ୍ତୀ ଅଧ୍ୟକ୍ଷ କରିବାକୁ ଦାବି ତେଜିବାକୁ ଲାଗିଛି। ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ପରେ ଏବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସମାନ ଦାବି ଦୋହରାଇ ପ୍ରିୟଙ୍କାଙ୍କ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହେବା ଉଚିତ ବୋଲି କହିଛନ୍ତି।

ଆଜି ଗଣମାଧ୍ୟମକୁ ଶ୍ରୀ ସିଂହ କହିଛନ୍ତି, “ପ୍ରିୟଙ୍କାଙ୍କୁ ଯିଏ କେହି ବି ଦେଖିଲେ ସେ ଇନ୍ଦିରା ଗାନ୍ଧିଙ୍କ କଥା ମନେପକାଉଛି। ଗତ ନିର୍ବାଚନ ବେଳେ ପ୍ରିୟଙ୍କା ଗାନ୍ଧି ତୃଣମୂଳ ସ୍ତରରେ କାମ କରିଥିଲେ। ସାଂଗଠନର ସ୍ଥିତି କେମିତି ସଜାଡ଼ିବାକୁ ହୁଏ, ସେକଥା ମଧ୍ୟ ସେ ଭଲ ଭାବେ ଜାଣିଛନ୍ତି। ତେଣୁ ପ୍ରିୟଙ୍କା ଗାନ୍ଧି କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହେବାକୁ ଯୋଗ୍ୟ।

କଂଗ୍ରେସ ୱାର୍କିଂ କମିଟି ଏ ସମ୍ପର୍କରେ ନିଷ୍ପତ୍ତି ନେବା ଦରକାର। ଭାରତ ହେଉଛି ଏକ ଯୁବ ରାଷ୍ଟ୍ର। ତେଣୁ ଆମକୁ ଜଣେ ଯୁବ ନେତାଙ୍କୁ ବାଛିବାକୁ ପଡ଼ିବ। ପ୍ରିୟଙ୍କା ଜଣେ ଜ୍ଞାନୀ ମହିଳା। ଦେଶ କ’ଣ ଚାହୁଁଛି, ସେକଥା ସେ ଭଲ ଭାବେ ଜାଣିଛନ୍ତି। ଲଢ଼େଇ କରି କେମିତି ବିଜୟ ଲାଭ କରିବାକୁ ହୁଏ, ସେକଥା ମଧ୍ୟ ତାଙ୍କୁ ଜଣାଅଛି। ହେଲେ ଆମେ କହିଲେ କିଛି ହେବ ନାହିଁ, ଏସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି କଂଗ୍ରେସ ୱାର୍କିଂ କମିଟି ହିଁ ନେବ।”

ଏହାପୂର୍ବରୁ ଶଶି ଥରୁର ମଧ୍ୟ ପ୍ରିୟଙ୍କା ଗାନ୍ଧି ଭଦ୍ରା କଂଗ୍ରେସର ଅଧ୍ୟକ୍ଷ ହେବା ଦରକାର ବୋଲି କହିଥିଲେ। ତେବେ ଏଥିପାଇଁ ସିଲେକସନ୍‌ ନୁହେଁ ଇଲେକସନ୍‌ ହେବା ଦରକାର ବୋଲି ଥରୁର ମତ ଦେଇଥିଲେ।