ମନ୍ତ୍ରିମଣ୍ଡଳ ଗଠନ ପରେ କର୍ଣ୍ଣାଟକା ବିଜେପିରେ ଫାଟ

ବେଙ୍ଗାଲୁରୁ: ଶପଥ ନେବାର ଦୀର୍ଘ ୨୫ ଦିନ ପରେ ଆଜି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା ୧୭ ଜଣିଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। କର୍ଣ୍ଣାଟକା ରାଜ୍ୟପାଳ ବାଜୁଭାଇ ବାଲା ସମସ୍ତ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କର୍ଣ୍ଣାଟକାରେ ସର୍ବାଧିକ ୩୩ ଜଣ ମନ୍ତ୍ରୀ ହୋଇପାରିବେ। ତେଣୁ ଦଳୀୟ ହାଇକମାଣ୍ଡ ୧୬ଟି ପଦ ଫାଙ୍କା ରଖିଛନ୍ତି।

ଏବେ ମନ୍ତ୍ରିମଣ୍ଡଳରେ ସାମିଲ ହେବା ଆଶା ରଖିଥିବା ବିଜେପି ନେତାମାନେ ହାଇକମାଣ୍ଡଙ୍କ ବିରୋଧରେ ସ୍ୱର ଉଠାଇବା ଆରମ୍ଭ କରିଛନ୍ତି। ଉମେଶ କାଟ୍ଟି, ମୁରଗେଶ ନିରାନି, ବାଲଚନ୍ଦ୍ର ଝାରକିହୋଲି, ରେଣୁକାଚାରୀ ଓ ବାସଭରାଜ ପାଟିଲ ୟାତନାଲଙ୍କ ଭଳି ଦଳର ବରିଷ୍ଠ ନେତାମାନେ ଖୋଲାଖୋଲି ଦଳୀୟ ହାଇକମାଣ୍ଡଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି। ସେମାନେ ଆଜିର ଶପଥ ପାଠ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇନଥିଲେ।

୪ ଥରର ବିଧାୟକ ଜିଏଚ୍‌ ଥିପ୍ପା ରେଡ୍ଡି ମନ୍ତ୍ରୀ ପଦ ପାଇଁ ଆଶା ରଖିଥିଲେ। ତେବେ ସେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ନଥିବାରୁ ଆଶ୍ଚର୍ଯ୍ୟ ଏବଂ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, “ମନ୍ତ୍ରୀ ପଦ ପାଇ ନଥିବା ଆଶାୟୀ ବିଧାୟକମାନେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବୈଠକ କରି ସେମାନଙ୍କର ପରବର୍ତ୍ତୀ ଯୋଜନା ସମ୍ପର୍କରେ ନିଷ୍ପତ୍ତି ନେବେ। ସେହିପରି ଦଳର ବିଶ୍ୱସ୍ତ ଓ ବରିଷ୍ଠ ନେତାଙ୍କୁ ମନ୍ତ୍ରୀ ପଦରୁ ବଞ୍ଚିତ କରାଯାଇଥିବାରୁ ଏକଥା ଦଳୀୟ ହାଇକମାଣ୍ଡଙ୍କୁ ମଧ୍ୟ ଅବଗତ କରାଯିବ।” ରେଡ୍ଡୀଙ୍କ ସମର୍ଥକମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଆଜି ବିକ୍ଷୋଭ ପ୍ରଦର୍ଶନ କରି ଦଳୀୟ ହାଇକମାଣ୍ଡଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି।

୬ଥରର ବିଜେପି ବିଧାୟକ ସୁଲ୍ଲିଆ, ଏସ୍‌ ଆନଗାର ମଧ୍ୟ ମନ୍ତ୍ରୀ ହୋଇ ନଥିବାରୁ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।