ଲାଲ୍ ଆତଙ୍କ: ଜଣଙ୍କୁ ମାରିଲେ, ୯ଟି ଗାଡ଼ି ପୋଡ଼ି ଦେଲେ

ମାଲକାନଗିରି (ଓଡ଼ିଶା ରିପୋର୍ଟର): ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଦ୍ରାଚଳମ୍‌ରେ ମାଓବାଦୀଙ୍କ ହିଂସାକାଣ୍ଡ। ପୋଡାଜଳା କରିବା ସହିତ ପୋଲିସ୍ ଇନ୍‌ଫର୍ମର ସନ୍ଦେହରେ ୨ ଜଣଙ୍କୁ ଗୁଳି କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଜଣଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ ମଧ୍ୟ କରିଛନ୍ତି।

ପ୍ରାୟ ୪୦ରୁ ଅଧିକ ଲାଲବାହିନୀ ଗତକାଲି ବିଳମ୍ବିତ ରାତିରେ ଏଭଳି ହିଂସାକାଣ୍ଡ ଭିଆଇଛନ୍ତି। ସେମାନେ ୯ଟି ଗାଡ଼ି ଜାଳି ଦେଇଛନ୍ତି। ଜାଳି ଯାଇଥିବା ୯ଟି ଗାଡ଼ି ଭିତରେ ରହିଛି ୪ଟି ଟିପର, ୩ଟି ଜେସିବି, ଗୋଟିଏ ଡ୍ରୋଜର ଓ ଗୋଟିଏ ଟ୍ରାକ୍ଟର। ବାଲି ଉଠା କାର୍ଯ୍ୟରେ ଏହି ଗାଡ଼ି ଗୁଡ଼ିକୁ ନିୟୋଜିତ କରାଯାଇଥିଲା।

ଘଟଣାସ୍ଥଳରେ ମାଓବାଦୀ ଏକ ପୋଷ୍ଟର ଛାଡ଼ି ଯାଇଛନ୍ତି। ଏଥିରେ ସେମାନେ ପୋଲିସ ଇନର୍ଫମର ସନ୍ଦେହରେ ହତ୍ୟା କରିଥିବା ଦର୍ଶାଇଛନ୍ତି। ମାଓବାଦୀଙ୍କ ହିଂସାକାଣ୍ଡ ପରେ ସେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।