ପୁଣି ତେଜିଲା ମରାଠା ଆନ୍ଦୋଳନ: ବ୍ୟାପକ ହିଂସା ଓ ପୋଡ଼ାଜଳା, ୨ ଜଣଙ୍କ ଆତ୍ମହତ୍ୟା

ପୁଣେ: ମରାଠା ଆନ୍ଦୋଳନ ପୁଣି ଉଗ୍ର ରୂପ ଧାରଣ କରିଛି। ସଂରକ୍ଷଣ ଦାବିରେ ଆନ୍ଦୋଳନ କରୁଥିବା ମରାଠା କ୍ରାନ୍ତି ମୋର୍ଚ୍ଚାର ସଦସ୍ୟମାନେ ଆଜି ବ୍ୟାପକ ଭଙ୍ଗା ରୁଜା ଓ ପୋଡ଼ାଜଳା କରିଛନ୍ତି।

ପୁଣେରେ ଆଜି ବିକ୍ଷୋଭକାରୀ ୬ଟି ବସ୍‌ରେ ନିଆଁ ଲଗାଇ ଦେବା ସହ ଏକାଧିକ ଗାଡ଼ିକୁ ଟେକାପଥର ମାଡ଼ କରିଛନ୍ତି।

ସେପଟେ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦାବିରେ ଆଜି ଦୁଇ ଜଣ ଆତ୍ମହତ୍ୟା କରିଛନ୍ତି।

ଜଣେ ଆନ୍ଦୋଳନକାରୀ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଆଉ ଜଣେ ବ୍ୟକ୍ତି ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଛନ୍ତି।

ଆଜି ଆନ୍ଦୋଳନକାରୀମାନେ ପ୍ରଥମେ ପୁଣେ-ନାଶିକ୍‌ ଜାତୀୟ ରାଜପଥର ଚକାନ ଶିଳ୍ପାଞ୍ଚଳରେ ଗୋଟିଏ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କଲାବେଳେ ସଂଘର୍ଷ ସୃଷ୍ଟି ହୋଇଥିଲା।

ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।

ସେହିପରି ପୁଣେର ଆଉ କିଛି ସ୍ଥାନରେ ମଧ୍ୟ ଆନ୍ଦୋଳନକାରୀମାନେ ବସ୍‌ ପୋଡ଼ାଜଳା କରିଛନ୍ତି।

ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ପୂର୍ବରୁ ମରାଠା ଆନ୍ଦୋଳନରେ ଭଙ୍ଗାରୁଜା କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

ବିକ୍ଷୋଭକାରୀମାନେ ରାସ୍ତା ଉପରେ ବସି ରହିବା ଯୋଗୁ ଯାନବାହାନ ଚଳାଚଳ ଗୁରୁତର ପ୍ରଭାବିତ ହୋଇଥିଲା। ଅନ୍ୟପକ୍ଷରେ   ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ରାଜ୍ୟ ସରକାର ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକନ୍ତୁ ବୋଲି ଦାବି କରିଛନ୍ତି।